ପାଟନା:ପାଠପଢାର କୌଣସି ବୟସସୀମା ନଥାଏ । ଇଚ୍ଛାଶକ୍ତି ଥିଲେ ବସୟର ଯେକୌଣସି ସୋପାନରେ ବି ଶିକ୍ଷାଲାଭ ହୋଇପାରିବ । ବିହାରରୁ ଆସିଥିବା ଏହିଭଳି କିଛି ଘଟଣା ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାରେ ରହିଛି । ବିହାରର ଜଣେ ମହିଳା ବୟସକୁ ଖାତିର ନକରି ନିଜର ଚାରି ବୋହୂଙ୍କ ସହିତ ମିଶି ପରୀକ୍ଷା ଦେଇଛନ୍ତି । ଏହି ମହିଳା ହେଉଛନ୍ତି ବିହାର ନାଳନ୍ଦା ଜିଲ୍ଲା ଚଣ୍ଡୀ ଅନ୍ତର୍ଗତ ଡିହ ଗ୍ରାମର ଶିବାରତି ଦେବୀ । ସେ ଗତ ୬ ମାସ ହେଲା ନିଜ ବୋହୂମାନଙ୍କ ସହ ପାଠ ପଢିଆସୁଛନ୍ତି । ଶିବାରତୀ ଦେବୀ ଏବଂ ତାଙ୍କର ବୋହୂମାନେ ଦିନବେଳା ଘର କାମ ଓ ଚାଷ କାମ କରନ୍ତି । ତା' ଭିତରୁ ସମୟ ବାହାର କରି ଏକାଠି ବସି ପାଠ ପଢନ୍ତି । ସଂସାର ଜଞ୍ଜାଳ ମଧ୍ୟରେ ପାଠପଢା ପ୍ରତି ଏହି ଶାଶୂ-ବୋହୂଙ୍କ ଆଗ୍ରହକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ବିହାରରେ ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅକ୍ଷର ଆଞ୍ଚଲ ଯୋଜନା ଅଧିନରେ ସାକ୍ଷରତା ପରୀକ୍ଷା ଆୟୋଜିତ ହୋଇଥିଲା । ଏଥିରେ ଗ୍ରାମୀଣ ଅଞ୍ଚଳର ପ୍ରାୟ ୯ ହଜାର ମହିଳା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ ନାଳନ୍ଦା ଡିହ ଗ୍ରାମର ୪୫ ବର୍ଷୀୟ ଶିବରାତି ଦେବୀ ଏବଂ ତାଙ୍କର ଚାରି ବୋହୂ ସୋଭା ଦେବୀ, ସୀମା ଦେବୀ, ବୀଣା ଦେବୀ ଓ ବିନ୍ଦୀ ଦେବୀ । ଏହି ଶାଶୂ ଓ ବୋହୂ ମିଶି ପରୀକ୍ଷା ଦେବାକୁ ସ୍ଥାନୀୟ ଆଦର୍ଶ ମଧ୍ୟ ବିଦ୍ୟାଳୟରେ ପହଞ୍ଚିଥିଲେ ଏବଂ ପରୀକ୍ଷା ଦେଇଥିଲେ । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।