ଓଡିଶା

odisha

ETV Bharat / bharat

ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ ଓ ଝିଅ - ଉତ୍ତରପ୍ରଦେଶରେ ମାଆ ଝିଅ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ କାନପୁର ଦେହାତରେ ଅଭାବନୀୟ ଘଟଣା । ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ମାଆ ଓ ଝିଅ । ଅଧିକ ପଢନ୍ତୁ

ଜବରଦଖଲ ଉଚ୍ଛେଦ ବେଳେ ମାଆ ଓ ଝିଅ ମୃତ
ଜବରଦଖଲ ଉଚ୍ଛେଦ ବେଳେ ମାଆ ଓ ଝିଅ ମୃତ

By

Published : Feb 14, 2023, 12:10 PM IST

ଲକ୍ଷ୍ନୌ:ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ମାଆ ଓ ଝିଅ । ଗତକାଲି(ସୋମବାର) ଉତ୍ତରପ୍ରଦେଶ କାନପୁର ଦେହାତରେ ଏଭଳି ଛାତିଥରା ଘଟଣା ଘଟିଛି । ପୋଲିସ ଓ ପ୍ରଶାସନିକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ କରୁଥିବା ବେଳେ ଗୋଟିଏ କୁଡିଆ ଘରେ ନିଆଁ ଲାଗି ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣାରେ SDM, SHOଙ୍କ ସମେତ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାଖଲ ହୋଇଛି ।

ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ପ୍ରଶାସନିକ ଟିମ୍ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତହସିଲ ଓ ଜିଲ୍ଲା ପ୍ରଶାସନ ଜାଣିଶୁଣି ଘରେ ନିଆଁ ଲଗାଇ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସୂଚନା ପାଇ ଡିଭିଜିନାଲ କମିଶନର ରାଜଶେଖର ଏବଂ କାନପୁର ଜୋନ ଏଡିଜି ଆଲୋକ ସିଂହ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଓ ପୀଡିତ ପରିବାର ସହ ଆଲୋଚନା କରିଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି ଆଶ୍ବସନା ଦେଇଛନ୍ତି । ଏହାସହିତ ପୀଡିତ ପରିବାରକୁ ଯଥାସମ୍ଭବ ସହୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାହା ସୂଚନା ମିଳିଛି, ପ୍ରଶାସନିକ ଟିମ୍ କାନପୁର ଦେହାତ ରୁରା ଥାନା ଅଞ୍ଚଳରେ ଥିବା ଶିବ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ମନ୍ଦିର ପାଖରେ ଥିବା କୁଡିଆ ଘରେ ନିଆଁ ଲଗାଯାଇଥିଲା । ଘର ଭିତରେ ମାଆ ଓ ଝିଅ ଥିବାବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ତେବେ ପୀଡିତ ପରିବାରର କହିବାନୁସାରେ, ଗତ ଜାନୁୟାରୀରେ ମନ୍ଦିର ପାଖରେ ଥିବା ତାଙ୍କ ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ ପାଇଁ ଯୋଜନା ହୋଇଥିଲା । ଏନେଇ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଗୁହାରି କରିଥିଲେ । ଏହାସତ୍ତ୍ବେ ମଧ୍ୟ ତାଙ୍କ ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଥିଲା । ଏହାପରେ ପରିବାର ଲୋକେ ସେହି ସ୍ଥାନରେ କୁଆଡି କରି ରହୁଥିଲେ ।

ସୋମବାର ଦିନ ତହସିଲ ଓ ଜିଲ୍ଲା ପ୍ରଶାସନିକ ଟିମ୍ ସେହି ସ୍ଥାନରେ ମନ୍ଦିର ପାଇଁ ଉଚ୍ଛେଦ କରିବାକୁ ଆସିଥିଲେ । ଏହି ସମୟରେ ପ୍ରଶାସନିକ ଟିମ୍ ମନ୍ଦିର ପାଖରେ ଥିବା ତାଙ୍କ କୁଡିଆରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ମାଆ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ କୃଷ୍ଣ ଗୋପାଳ ଦୀକ୍ଷିତ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ । ଏହିପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ । ପୀଡିତ ପରିବାର ଲୋକେ ସ୍ଥାନୀୟ ତହସିଲ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ ବ୍ରାହ୍ମଣ ବି ଯୋଗୀ ସରକାରର ଟାର୍ଗେଟକୁ ଆସିଥିବା ସେ କହିଛନ୍ତି । ଏହି ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ଖେଳାଇଛି ।

ABOUT THE AUTHOR

...view details