ଓଡିଶା

odisha

ETV Bharat / bharat

karnataka poll: କଂଗ୍ରେସ ଭେଟେରାନ ଶଙ୍କରପ୍ପାଙ୍କୁ ନେଇ ଚର୍ଚ୍ଚା, 92 ବର୍ଷରେ ଲଢୁଛନ୍ତି ନିର୍ବାଚନ - କଂଗ୍ରେସ ପ୍ରାର୍ଥୀ ଶାମାନୁର ଶିବଶଙ୍କରପ୍ପା

କର୍ଣ୍ଣାଟକ ନିର୍ବାଚନୀ ମୈଦାନରେ ବରିଷ୍ଠ କଂଗ୍ରେସ ପ୍ରାର୍ଥୀ 92 ବର୍ଷୀୟ ଶାମାନୁର ଶିବଶଙ୍କରପ୍ପା । ଚଳିତ ନିର୍ବାଚନର ସର୍ବ ବରିଷ୍ଠ ପ୍ରାର୍ଥୀ 5 ଥର ହୋଇଛନ୍ତି ବିଧାୟକ । କହିଲେ 6ଷ୍ଠ ଥର ଜିତି ସୃଷ୍ଟି କରିବି ଇତିହାସ । ଅଧିକ ପଢନ୍ତୁ

Shamanur Shivshankarappa
Shamanur Shivshankarappa

By

Published : Apr 18, 2023, 10:21 PM IST

ବେଙ୍ଗାଲୁରୁ:ବୟସ 92 ବର୍ଷ, ହେଲେ ତଥାପି ନିର୍ବାଚନୀ ମୈଦାନରେ ନିଜ ପ୍ରତିଦ୍ବନ୍ଦୀଙ୍କୁ ଟକ୍କର ଦେବାକୁ କମିନାହିଁ ମନୋବଳ । ପୂର୍ବରୁ 5ଥର ବିଧାୟକ ହୋଇଛନ୍ତି, ଚଳିତ ନିର୍ବାଚନରେ 6ଷ୍ଠ ଥର ପାଇଁ ସେ ପୁଣି ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଏହି ସର୍ବାଧିକ ବୟସ୍କ ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ଶାମାନୁର ଶିବଶଙ୍କରପ୍ପାଙ୍କୁ ନେଇ ଏବେ ଚର୍ଚ୍ଚା ।

ଶତାୟୁ ନିକଟତର ଶାମାନୁର ଶିବଶଙ୍କରପ୍ପା ଚଳିତ ଥର ମଧ୍ୟ କଂଗ୍ରେସ ଟିକେଟରେ ଦାଭାଙ୍ଗେର-ଦକ୍ଷିଣ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଶମାନୁର ଶିବଶଙ୍କରପ୍ପା ବିଜେପି ପ୍ରାର୍ଥୀ ବି.ଜି ଅଜୟ କୁମାରଙ୍କୁ ଟକ୍କର ଦେବେ । ଅନ୍ୟ ଏକ ରୋଚକ କଥା ହେଉଛି, କର୍ଣ୍ଣାଟକ ରାଜନୀତିରେ ସାମ୍ପ୍ରଦାୟିକ ପ୍ରଭାବ ରଖୁଥିବା ଲିଙ୍ଗାୟତ ସମ୍ପ୍ରଦାୟକୁ ନିଜେ ଶିବଶଙ୍କରପ୍ପା ପ୍ରତିନିଧିତ୍ବ କରୁଥିବା ବେଳେ ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅଜୟ କୁମାର ମଧ୍ୟ ସେହି ସମ୍ପ୍ରଦାୟର ।

5 ଥର ହୋଇଛନ୍ତି ବିଧାୟକ:-

ପରିଣତ ବୟସରେ ପାଦ ଦେଇସାରିଥିବା ଏହି ବରିଷ୍ଠ ରାଜନେତାଙ୍କର ଲମ୍ବା ସକ୍ରିୟ ରାଜନୈତିକ କ୍ୟାରିୟର ରହିଛି । ସେ ମୋଟ 5 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅବିଭାଜିତ ଦାଭାଙ୍ଗେର ଆସନରୁ 2 ଥର ଓ ବିଭାଜନ ପରେ ଦାଭାଙ୍ଗେର-ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ତିନିଥରକୁ ମିଶାଇ ମୋଟ 5ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଶଙ୍କରପ୍ପା ।ଚଳିତ ଥର ମଧ୍ୟ ଦଳ ତାଙ୍କୁ ତାଙ୍କ ପାରମ୍ପରିକ ଦାଭାଙ୍ଗେର-ଦକ୍ଷିଣ ଆସନରୁ ହିଁ ମୈଦାନକୁ ଓହ୍ଲାଇଛି । ସେ ବୀରସାଇଭା ଲିଙ୍ଗାୟତ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସୁଥିବା ଏହି କଂଗ୍ରେସ ଭେଟେରାନଙ୍କ ବିରୋଧରେ ଲଢେଇକୁ ସାମ୍ପ୍ରଦାୟିକ ସନ୍ତୁଳନ ଦେବା ପାଇଁ ପ୍ରତିପକ୍ଷ ବିଜେପି ମଧ୍ୟ ଜଣେ ଲିଙ୍ଗାୟତ ସମ୍ପ୍ରଦାୟର ରାଜନେତାଙ୍କୁ ପ୍ରାର୍ଥୀ କରିଛି ।

1994 ରେ ଆରମ୍ଭ କରିଥିଲେ ସକ୍ରିୟ ରାଜନୀତି:-

90 ଦଶକରେ ସେ ପୌର ନିର୍ବାଚନ ମାଧ୍ୟମରେ ସକ୍ରିୟ ରାଜନୀତିରେ ପ୍ରବେଶ କରନ୍ତି । 1994 ରେ ସେ ପ୍ରଥମ ଥର ପାଇଁ ଦାଭେଙ୍ଗେର ମ୍ୟୁନିସିପାଲିଟି କାଉନସିଲର ସଭାପତି ନିର୍ବାଚିତ ହୁଅନ୍ତି । ପରେ ସେହି ବର୍ଷ ସେ ଉକ୍ତ ପଦବୀରୁ ଇସ୍ତଫା ଦେଇ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦିତା କରନ୍ତି । ପ୍ରଥମ ଲଢେଇ ତାଙ୍କୁ ସଫଳତା ଦିଏ ଓ ସେ ବିଧାୟକ ଭାବେ ବିଧାନସଭାରେ ଏଣ୍ଟ୍ରିଂ ମାରନ୍ତି । ତା’ପରେ 2004 ରେ ସେ ପୁନର୍ବାର ସମାନ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହୋଇଥିଲେ ।

2008 ରେ ଏହି ଆସନ ବିଭାଜିତ ହୋଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ପରିଣତ ହୋଇଥିଲା । ବିଭାଜନ ପୂର୍ବରୁ 2 ଥର ଓ ବିଭାଜିତ ହେବା ପରେ ନୂତନ (ଭେଙ୍ଗେର-ଦକ୍ଷିଣ) ବିଧାନସଭା ଆସନରୁ 2008, 2013 ଏବଂ 2018 ରେ କ୍ରମାଗତ ତିନିଥରକୁ ମିଶାଇ ମୋଟ 5 ଥର ନିର୍ବାଚିତ ବିଧାନସଭାକୁ ହୋଇଛନ୍ତି । କେବଳ ରାଜ୍ୟ ରାଜନୀତି ନୁହେଁ ବରଂ ଲୋକସଭାକୁ ମଧ୍ୟ ସେ ନିର୍ବାଚିତ ହୋଇଛନ୍ତି । 1997 ମସିହାରେ ସେ ସାଂସଦ ଭାବେ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେଲେ 1999 ରେ ତାଙ୍କୁ ଲୋକସଭା ନିର୍ବାଚନରେ ପରାଜିତ ହେବାକୁ ପଡିଥିଲା ।

‘ଏଥର ମଧ୍ୟ ଜିତିବି, ଇତିହାସ ସୃଷ୍ଟି କରିବି ’

ଏହି 92 ବର୍ଷୀୟ ସର୍ବାଧିକ ବୟସ୍କ ପ୍ରାର୍ଥୀ ନିଜର ବିଜୟ ନେଇ ବେଶ ଆଶାବାଦୀ । କୁହନ୍ତି,‘‘ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆଶୀର୍ବାଦ ମୋ ଉପରେ ଅଛି । ମୋର ବୟସ 92 ବର୍ଷ ହୋଇଥିଲେ ମଧ୍ୟ, ମୁଁ ନିର୍ବାଚନ ଲଢୁଛି । ଏହି ନିର୍ବାଚନ ମଣ୍ଡଳୀର ଲୋକେ ମତେ 5 ଥର ଜିତାଇଛନ୍ତି , ଏଥର ମଧ୍ୟ ଜିତିବି ଓ ଇତିହାସ ସୃଷ୍ଟି କରିବି ।’’ ଶଙ୍କରପ୍ପାଙ୍କ ପୁଅ ଏସ୍ ଏସ୍ ମଲ୍ଲିକାର୍ଜୁନ୍ ମଧ୍ୟ କଂଗ୍ରେସ ସରକାରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ତେବେ ତାଙ୍କ ବାପା ଏ ବୟସରେ ମଧ୍ୟ ନିର୍ବାଚନୀ ମୈଦାନରେ ବେଶ ପରିଶ୍ରମ କରୁଛନ୍ତି । ସେ ନିଶ୍ଚୟ ଜିତିବେ ଓ ରାଜ୍ୟ ରାଜନୀତିରେ ଇତିହାସର ସୃଷ୍ଟି କରିବେ ବୋଲି କୁହନ୍ତି ପୁଅ ମଲ୍ଲିକାର୍ଜୁନ୍ ।

କର୍ଣ୍ଣାଟକ ଫଳାଫଳ ଉପରେ ଦେଶର ନଜର:-

ତେବେ ବିଜେପି ଶାସିତ ଏହି ଦକ୍ଷିଣ ରାଜ୍ୟରେ ଆସନ୍ତା ମାସ (ମେ’) 10 ତାରିଖରେ ମତଦାନ ହେବାକୁ ଯାଉଛି । ଏଥିରେ ଶାସକ ବିଜେପିକୁ ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ କଡା ଟକ୍କର ଦେଉଛି କଂଗ୍ରେସ । 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଶାସିତ ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ନିର୍ବାଚନ ହେଉଥିବା କାରଣରୁ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଥିବା ବେଳେ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବା ନେଇ ଦମ୍ଭ ଦେଖାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details