ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଲଖିମପୁର ଖେରୀରେ ଆନ୍ଦୋଳନ ବେଳେ କୃଷକଙ୍କ ଉପରେ ଗାଡି ମାଡିଯିବା ଘଟଣାରେ ବିବାଦରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି ପୁଣି ଥରେ ବିବାଦ ପରିସରକୁ ଆସିଛନ୍ତି । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ବେଳେ ବାପା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଏସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଧକ୍କା ମାରିଲେ ମନ୍ତ୍ରୀ ଅଜୟ ମିଶ୍ରା ଟେନି ମନ୍ତ୍ରୀ ଅଜୟ ମିଶ୍ରା ଟେନି ଆଜି (ବୁଧବାର) ଉତ୍ତର ପ୍ରଦେଶ ଲଖୀମପୁର ଜିଲ୍ଲାରେ ଏକ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବା ପାଇଁ ଯାଇଥିବା ଅବସରରେ ସେଠାରେ ଥିବା କିଛି ଜଣେ ସାମ୍ବାଦିକ ଏହି ସମ୍ପର୍କରେ ଏକ ପ୍ରଶ୍ନ ପଚାରିବାରୁ ସେ ନିୟନ୍ତ୍ରଣ ହରାଇ ବସିଥିଲେ ମନ୍ତ୍ରୀ । ସାମ୍ବାଦିକଙ୍କ ବୁମ୍ ଛଡାଇବା ସହ ଗାଳିଗୁଲଜ କରିଥିଲେ ଓ ପରେ ଉତକ୍ଷିପ୍ତ ହୋଇ ଧକ୍କା ମଧ୍ୟ ମାରିବାକୁ ପଛାଇନଥିଲେ ମନ୍ତ୍ରୀ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସାମ୍ବାଦିକଙ୍କ ପ୍ରଶ୍ନରେ ଖୁବ କ୍ରୋଧାନ୍ବିତ ହୋଇ ମନ୍ତ୍ରୀ ଗଣମାଧ୍ୟମକୁ ଗାଳି ଦେବା ସହ ଏହି ଘଟଣାରେ ଜଣେ ନିର୍ଦ୍ଦୋଷ ଲୋକୁ ଫସାଯାଇଛି ବୋଲି ମଧ୍ୟ କହି ଗଣମାଧ୍ୟମକୁ ଦାୟୀ କରିଥିଲେ । ଯାହା ପଚାରିବା କଥା ତଦନ୍ତକାରୀ ସଂସ୍ଥା SIT କୁ ପଚାର ବୋଲି କହିବା ସହ ସାମ୍ବାଦିକଙ୍କ ବୁମ ଛଡାଇବା ସହ ଧକ୍କା ମଧ୍ୟ ମାରିଥିଲେ ମନ୍ତ୍ରୀ ମିଶ୍ରା । ଏହି ଭିଡିଓ ଭାଇରାଲ ହେବା ପରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି ।
ଲକ୍ଷୀମପୁର କ୍ଷେରୀ ହିଂସା ଘଟଣାରେ ଗତକାଲି ଏକ ବିସ୍ଫୋରକ ସୂଚନା ଦେଇଛି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) । ଆନ୍ଦୋଳନକାରୀ କୃଷକଙ୍କ ଉପରେ ମନ୍ତ୍ରୀଙ୍କ ପୁଅଙ୍କ ଗାଡି ମାଡିଯିବା ଏକ ଦୁର୍ଘଟଣା ନୁହେଁ ବରଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତଦନ୍ତରୁ ଜଣାପଡିଥିବା କହିଥିଲା SIT । ତେବେ SITର ଏପରି ବିସ୍ଫୋରକ ସୂଚନା ଦେବା ପରେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ବିରୋଧୀ କେନ୍ଦ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ଆରମ୍ଭ କରିଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ