ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହଭାଗିତାରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଗୁଡିକ ପ୍ରତିଷ୍ଠା ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏପ୍ରିଲ ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦେଶବ୍ୟାପୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଉଛି ।
ଏହି ଅବସରରେ ଦେଶର ବିଭିନ୍ନ ବ୍ଲକ ସ୍ତରରେ ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରମୁଖ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପରିଦର୍ଶନ କରୁଛନ୍ତି । ଏସବୁ କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ଶସ୍ତା ଏବଂ ସୁଲଭ ସ୍ବାସ୍ଥ୍ୟସେବା ସମ୍ପର୍କରେ ସେମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ।
ଏପ୍ରିଲ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଦେଶର ଏକ ଲକ୍ଷରୁ ଅଧିକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ବ୍ଲକ ସ୍ତରରେ ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯାଉଛି । ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ବ୍ଲକରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି । ପ୍ରତି ବ୍ଲକରେ ଦିନିକିଆ ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯିବ ଏବଂ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ।