ହାଇଦ୍ରାବାଦ : ଗୁଜୁରାଟ ମୋର୍ବି ଝୁଲା ପୋଲ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ। ପ୍ରଶାସନର ଅବହେଳା ପାଇଁ ଆତ୍ମୀୟଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଲୋକେ। ମାଛୁ ନଦୀରେ ମୋର୍ବି ବ୍ରିଜ ଅଘଟଣ ପରେ ଚେତିଛି ପ୍ରଶାସନ। ମୋର୍ବି ଝୁଲା ପୋଲ ଛିଡିବାରୁ 135ରୁ ଅଧିକ ଲୋକଙ୍କ ପ୍ରାଣ ହରାଇବା ସହ 100ରୁ ଅଧିକ ଜଣ ନିଖୋଜ ଅଛନ୍ତି । ତେବେ କାହିଁକି ଓ କିପରି ଏହି ଝୁଲାପୋଲ ଖସିଲା ସେନେଇ ଏହାର କାରଣ ଖୋଜୁଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଏପଟେ ଦୁର୍ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତ ମାନଙ୍କୁ ମେଡିକାଲରେ ଭେଟିଛନ୍ତି । ତେବେ ମୃତକଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 6 ଲକ୍ଷ ଲେଖାଏଁ ଘୋଷଣା ହୋଇଥିବା ବେଳେ ଆହାତଙ୍କ ମାଗଣା ଚିକିତ୍ସା କରାଯାଉଛି ।
ଏହି ଘଟଣା ପରେ ଦୀର୍ଘ ଦୁଇ ଦଶନ୍ଧିରେ ଭାରତରେ ଘଟିଥିବା ସମାନ ଫ୍ଲାଏ ଓଭର ଘଟଣାକୁ ମନେ ପକାଇ ଦେଇଛି । ମୋର୍ବି ଝୁଲା ପୋଲ ଘଟଣା ଭଳି ଭାରତରେ ଆହୁରି 9ଟି ଝୁଲାପୋଲ ଛିଡିଥିବା ଘଟଣା ସାମ୍ନାକୁ ଆସିଛି । ଯେଉଁଥିଲେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ଭାଙ୍ଗିଯାଇଛି ଅନେକ ସୁନାର ସଂସାର । ସେଗୁଡିକ ହେଲା-
ମୁମ୍ବାଇ ଫୁଟ ଓଭର ବ୍ରିଜ (Mumbai Footoverbridge)
ମୁମ୍ବାଇର ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣା । ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (କେସମାଟ) ରେଳ ଷ୍ଟେସନରୁ ମୁମ୍ବାଇର ବଦରୁଦ୍ଦିନ ଟାୟାବଜୀ ଲେନ ସହିତ ସଂଯୋଗ କରିଥିଲା ଏହି ବ୍ରିଜ । ତେବେ 2019 ମସିହା ମାର୍ଚ୍ଚ ମାସ 14 ତାରିଖରେ ସନ୍ଧ୍ୟା 7.35 ରେ ଘଟିଥିଲା ଏହି ଅଘଟଣ । ଏଥିରେ 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣ ଆହାତ ହୋଇଥିଲେ ।
ବାରଣାସୀ ଫ୍ଲାଏଓଭର(Varanasi Flyover)
2018 ମସିହା ମେ ମାସ 15 ତାରିଖରେ ବାରାଣାସୀର ଏକ ବ୍ୟସ୍ତବହୁଳ ରାସ୍ତାରେ ଫ୍ଲାଏ ଓଭରର ଏକ ଅଂଶ ଖସିପଡିଥିଲା। ଉତ୍ତରପ୍ରଦେଶ ଷ୍ଟେଟ୍ ବ୍ରିଜ୍ କର୍ପୋରେସନ୍ ଲିମିଟେଡ୍(State Bridge Corporation Ltd) 129 କୋଟି ଟଙ୍କା ବ୍ୟୟରେ 2,261 ମିଟର ସେତୁ ନିର୍ମାଣ କରିଥିଲା। କିନ୍ତୁ ଫ୍ଲାଏ ଓଭରର ଏକ ଅଂଶ ଖସିପଡିଥିବା ହେତୁ 18 ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ଏକ ମିନି ବସ, 4ଟି କାର 10ଟି ଦୁଇ ଚକିଆ ଯାନ ଚୂର୍ଣ୍ଣ ହୋଇଯାଇଥିଲା।
ପାନାଜୀ ଫୁଟବ୍ରିଜ ( panaji Footbridge)
ମେ 18, 2017 ରେ ଗୋଆର କରଚୋରାମ ଗ୍ରାମରେ ସାନଭୋର୍ଡେମ ନଦୀ ଉପରେ ଥିବା ଏକ ପର୍ତ୍ତୁଗୀଜ୍ ଯୁଗର ବ୍ରିଜ ଭୁଶୁଡି ପଡିଥିଲା । ଯେଉଁଥିରେ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ହୋଇଯାଇଥିଲେ। । ତେବେ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଆତ୍ମହତ୍ୟା ଉଦ୍ୟମ କରି ନଦୀ ଭିତରକୁ ଡେଇଁ ପଡିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ବ୍ରିଜ ଭୁଶୁଡି ପଡିଥିବା ଜଣାପଡିଥିଲା ।
ମାଜେରହାଟ ବ୍ରିଜ( Majerhat bridge)
ସେପ୍ଟେମ୍ବର 4, 2018 ମସିହାରେ ଭୁଶୁଡି ପଡିଥିଲା କୋଲକାତାର ମାଜେରହାଟ ବ୍ରିଜ । ରାତି ପ୍ରାୟ 4.45 ସମୟରେ ଭୁଶୁଡି ପଡିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ରୁ ଅଧିକ ଆହତ ହୋଇଥିଲେ । ତେବେ ଏହି ସେତୁଟି 50 ବର୍ଷରୁ ଅଧିକ ପୁରୁଣା ଥିଲା । 2010ରେ ଏହାର ମରାମତି କରାଯାଇଥିଲା। ତେବେ ଏହି ଅଘଟଣ କାରଣରୁ ଏକ ମିନିବସ୍ ସମେତ ଅନେକ ଗାଡି ବ୍ରିଜ୍ ତଳେ ଫସି ରହିଥିଲା ।