ଗାନ୍ଧୀନଗର:ଗତବର୍ଷ ଅକ୍ଟୋବର 30 ତାରିଖରେ ଗୁଜୁରାଟର ମୋରବୀରେ ଘଟିଥିବା ଝୁଲାପୋଲ ଅଘଟଣର ମାମଲାର ଆଜି ଏସଆଇଟି ହାଇକୋର୍ଟରେ ଚାର୍ଜସିଟ ଦାଖଲ କରିଛି । 5ହଜାର ପୃଷ୍ଠା ବିଶିଷ୍ଟ ଏହି ଦୀର୍ଘ ଚାର୍ଜସିଟରେ ପୋଲର ରକ୍ଷଣା ବେକ୍ଷଣା ଦାୟିତ୍ବରେ ଥିବା ଓରେୱା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଦାୟୀ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏହା କୌଣସି ଆକସ୍ମିକ ଅଘଟଣ ନୁହେଁ ବରଂ କମ୍ପାନୀର ଚରମ ଦାୟିତ୍ବହିନତା ପାଇଁ ଘଟିଛି । ତେଣୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ 302 ଧାରା (ହତ୍ୟା) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଚାର୍ଜସିଟରେ ଏସଆଇଟି ଉଲ୍ଲେଖ କରିଛି ।
ଗୁଜୁରାଟ ନିର୍ବାଚନ ସମୟରେ ଏହି ଅଘଟଣ ଘଟିଥିଲା । ବ୍ରିଜ୍ ପରିଚାଳନା ଦାୟିତ୍ବରେ ଥିବା ଓରେୱା କମ୍ପାନୀ ନା ସ୍ଥାନୀୟ ନଗରପାଳିକା ପ୍ରଶାସନ ଦାୟୀ ସେନେଇ ବିତର୍କ ହୋଇଥିଲା । ରାଜ୍ୟ ସରକାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରି ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ବର୍ଷେବ୍ୟାପୀ ତଦନ୍ତ ପରେ ଆଜି ଏସଆଇଟି ଚାର୍ଜସିଟ ଦାଖଲ କରିଛି । ଏଥିରେ କେବଳ କମ୍ପାନୀର ଚରମ ଦାୟିତ୍ବହିନତା ପାଇଁ ଏହି ଅଘଟଣ ଘଟିଥିବା ଦର୍ଶାଯାଇଛି ।
ଏହି ଦୁର୍ଘଟଣା ପାଇଁ କମ୍ପାନୀର ମ୍ୟାନେଜର ଦୀନେଶ ଦାଭେ ଏବଂ ଦୀପକ ପାରେଖଙ୍କ ସହ କମ୍ପାନୀର ମାଲିକ ଜୟସୁଖ ପଟେଲଙ୍କୁ ଦାୟୀ କରାଯାଇଛି । ପୋଲ ମରାମତି ଜାରି ରହିଥିଲେ ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରାଯାଇନଥିଲା । ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ସାମଗ୍ରୀ ମଧ୍ୟ ନଥିଲା । ଦାୟିତ୍ବହୀନ ଓ ଅବହେଳା ପାଇଁ ମରାମତି ପ୍ରକ୍ରିୟା ମଧ୍ୟରେ ଥାଇ ମଧ୍ୟ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମାତ୍ରାଧିକ ଲୋକ ଏହି ପୋଲ ଉପରେ ଚଢ଼ିଥିଲେ । ତେଣୁ ଦୁର୍ଘଟଣା ଘଟିଥିବା ବୋଲି ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି ।