ଗାନ୍ଧୀନଗର:କାଳ ସାଜିଲା ଐତିହ୍ୟ ପୋଲ । ବ୍ରିଟିଶ ଅମଳର ପୁରାତନ ବ୍ରିଜ ଉଜାଡ଼ି ଦେଇଛି ଅନେକ ସଂସାର । ଗୁଜୁରାଟର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣା କେତେ ଯେ ପରିବାର ପାଇଁ ଦୁଃଖ ଆଣିଛି ତାର ଠିକଣା ନାହିଁ । କେହି ନିଜ ପତ୍ନୀ ଓ ମାଆଙ୍କୁ ହରାଇଛନ୍ତି ତ ପୁଣି କିଏ ନିଜ ସ୍ବାମୀକୁ । ଏହି ଅଘଟଣରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୋର୍ବିର ବ୍ରିଜ ଦୁର୍ଘଟଣାରେ ଆସିଫଭାଇ ତାଙ୍କ ପତ୍ନୀ, ମାଆ ଓ ପୁଅକୁ ହରାଇଛନ୍ତି । ଏକାସାଙ୍ଗରେ ପରିବାରର ତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଆସିଫଭାଇ ।
ଆଉ କୋହଭରା କଣ୍ଠରେ କହିଛନ୍ତି 'ଝୁଲାପୋଲ ମୋ ସଂସାର ଉଜାଡ଼ି ଦେଲା । "ମୋର୍ବି ସ୍ଥିତ ଝୁଲା ପୋଲକୁ ତାଙ୍କ ପତ୍ନୀ, ମାଆ ଓ 8 ବର୍ଷର ପୁଅ ପରିଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ ଏବଂ ତାଙ୍କ ଦୁଇ ବର୍ଷର ପୁଅକୁ ଘରେ ଛାଡ଼ି ଯାଇଥିଲେ । ଠିକ୍ ଏହି ସମୟରେ ଘଟିଥିଲା ଅଘଟଣ । ଫଳରେ ନିଜ ଆତ୍ମୀୟଙ୍କୁ ହରାଇ ଦେଲେ ଆସିଫଭାଇ । ଦୁନିଆ କଣ ଜାଣିବା ଆଗରୁ କଅଁଳ ଶିଶୁଟି ମାଆ ଛେଉଣ୍ଡ ହୋଇଯାଇଛି । ଏନେଇ ଆସିଫଭାଇ କହିଛନ୍ତି, "ପୋଲର କ୍ଷମତା ଠାରୁ ଅଧିକ ଲୋକ ସେଠାରେ ଥିଲେ । ବ୍ୟବସାୟ କରିବା ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷ ଟିକେଟ ବିକ୍ରି କରିବାରେ ଲାଗିଲେ । ମାତ୍ର 15 ଟଙ୍କିଆ ଟିକେଟ ମୋ ଘର ଉଜାଡ଼ି ଦେଲା । ଏଠାରେ ଆମେ କାହାକୁ ଦୋଷ ଦେବୁ ? ଅବହେଳା ଯୋଗୁଁ ଅନେକଙ୍କ ସଂସାର ଆଜି ଭାଙ୍ଗି ଯାଇଛି ।"
ଏହା ମଧ୍ୟ ପଢ଼ନ୍ତୁ:Gujarat Bridge Collapse: କାହିଁକି ଘଣ୍ଟା ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ?