ଭୋପାଳ:ସବୁ କଳ୍ପନା ଜଳ୍ପନାର ଅନ୍ତ । ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସପ୍ତାହେରୁ ଅଧିକ ବିଚାର ବିମର୍ଶ ପରେ ଦଳ ଆଜି ମୁଖ୍ଯମନ୍ତ୍ରୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମେତ ଏକାଧିକ ଦାବିଦାର ଥିଲେ ସୁଦ୍ଧା ଚର୍ଚ୍ଚାରେ ନଥିବା ମୋହନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୋହନ ଯାଦବ ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ଚଳିତ ନିର୍ବାଚନରେ ସେ ଦକ୍ଷିଣ-ଉଜ୍ଜୈନ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।
ରାଜ୍ୟରେ ଶିବରାଜଙ୍କ ଶାସନର ଅନ୍ତ ହୋଇଛି । ଶିବରାଜଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ମୋହନ ଏବେ ନୂଆ ମୁଖ୍ୟମନ୍ତ୍ରୀ ହେବେ । 2013ରେ ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋଟ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଙ୍ଘର ପ୍ରଚାରକ ମଧ୍ୟ ଥିଲେ । ହେଲେ ଚଳିଥ ଥର ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ସବୁଠୁ ବଡ ଦାବିଦାର ମନେ କରାଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ଲଟେଲ, କୈଳାଶ ବିଜୟବର୍ଗୀୟ ଓ ଜ୍ୟୋତି ରାଦିତ୍ୟ ସିନ୍ଧିଆ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ଥିଲେ । ହେଲେ ଦଳ 2024 ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନୂଆ ଚେହେରା ଖୋଜିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ହିଁ ହେଲା । ଶିବରାଜ କିମ୍ବା ଅନ୍ୟ ନେତାଙ୍କ ବଦଳରେ ମୋହନ ଯାଦବଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି ।