ନୂଆଦିଲ୍ଲୀ: ଗତ 2-3 ସପ୍ତାହ ମଧ୍ୟରେ ଭାରତରେ କୋରୋନାର ଭୟାବହ ସ୍ଥିତି ଶତାବ୍ଦୀର ସବୁଠୁ ବଡ ସଙ୍କଟ । ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଅନୁଭବ କରି ସମଗ୍ର ସରକାରୀ କଳ ତୁରନ୍ତ ସମ୍ବଳ ଯୋଗାଡ କରି ଆରମ୍ଭ କରିଦେଇଥିଲେ ଲଢେଇ । ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ସହ ଦେଶର ସଶସ୍ତ୍ର ବାହିନୀ ମଧ୍ୟ ଅଦୃଶ୍ୟ ତଥା ଘାତକ ଶତ୍ରୁ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି ।
ଭାରତୀୟ ସ୍ଥଳସେନା ସେନା, ବାୟୁସେନା, ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ସଂଗଠନ ଏଭଳି ସଙ୍କଟରୁ ଦେଶକୁ ଉଦ୍ଧାର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସ୍ଥଳସେନା ପକ୍ଷରୁ ଅତିରିକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ନିୟୋଜନ, ସ୍ବାସ୍ଥ୍ୟସେବାରେ ନୂତନ ଭିତ୍ତିଭୂମି ସ୍ଥାପନ, ବାୟୁସେନା ସାହାଯ୍ୟରେ ପରିବହନ ବିମାନ ଏବଂ ଯୁଦ୍ଧ ଜାହାଜରେ ବନ୍ଧୁତ୍ୱପୂର୍ଣ୍ଣ ବିଦେଶରୁ ଅମ୍ଳଜାନ ଆମଦାନୀ ତଥା ନୂତନ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ ପାଇଁ ଆବଶ୍ୟକ ସହାୟତା ଯୋଗାଇବା ନେଇ ପ୍ରୟାସ ଜାରି ରଖିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।
କୋଭିଡ ମୁକାବିଲାରେ ପ୍ରତିରକ୍ଷାମନ୍ତ୍ରଣାଳୟର ପ୍ରୟାସ ଏହି ଯୁଦ୍ଧରେ ଏକ ଶକ୍ତିପୁଞ୍ଜ କହିଲେ ଅତ୍ୟୁକ୍ତ ହେବ ନାହିଁ । ଡିଆରଡିଓ ପକ୍ଷରୁ 1000ରୁ ଉର୍ଦ୍ଧ୍ବ ସଂଖ୍ୟକ ଶଯ୍ୟା ବିଶିଷ୍ଟ ବିଭିନ୍ନ ମେଡିକାଲ ସ୍ଥାପନ ସ୍ବାସ୍ଥ୍ୟସେବାର ଭତ୍ତି ଭୂମିକୁ ବଳ ଦେଇଛି । ଏପଟେ ସ୍ଥଳସେନା ଅତିରିକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜନ, ଜନସାଧାରଣଙ୍କୁ ଆର୍ମି ହସ୍ପିଟାଲ ଉତ୍ସର୍ଗ କରିଛି ।
ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ କାଳ ହୋଇ ବର୍ଷୁଥିବା ବାୟୁସେନା ମଧ୍ୟ କୋଭିଡ ଯୁଦ୍ଧରେ ଦେଖାଇଛି ନିଜର ପରାକାଷ୍ଠା । ଦେଶରେ ଯେତେବେଳେ ଅକ୍ସିଜେନର ଅଭାବ ଥିଲା ସେବେ ବିଦେଶରୁ ଅକ୍ସିଜେନ ପ୍ଲାଣ୍ଟ ଏୟାରଲିଫ୍ଟ କରି ବାୟୁସେନା ବଞ୍ଚାଇଛି ଅନେକ ଜୀବନ । ନୌସେନା ମଧ୍ୟ ବିଦେଶରୁ ଜଳମାର୍ଗରେ ଅକ୍ସିଜେନ କନସେନଟ୍ରେଟର ଓ ମେଡିକାଲ ଉପକରଣ ପହଞ୍ଚାଇଛି । କେବଳ ଏତିକି ନୁହେଁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ଡିଆରଡିଓର ଭୂମିକା ମଧ୍ୟ ସର୍ବୋପରି ରହିଛି ।
ଭାରତୀୟ ପ୍ରତିରକ୍ଷା ବିଭାଗର ଏହି ପ୍ରୟାସକୁ ଚାରିଆଡେ କରାଯାଉଛି ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଆମର ସଶସ୍ତ୍ର ବାହିନୀ କୋରୋନା ବିରୋଧରେ ଲଢେକୁ ମଜବୁତ କରିବାରେ କୌଣସି ପ୍ରୟାସ କମ କରୁନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।