ଓଡିଶା

odisha

ETV Bharat / bharat

ଦିଦିଙ୍କ ଖେଳାକୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌‌ - Muslim Card

ତିନି ଦିନ ପୂର୍ବରୁ ରାୟଦିଘିର ନିର୍ବାଚନୀ ରାଲିରେ ବିଜେପିର ଭୟ ଦେଖାଇ ମୁସଲିମଙ୍କୁ ତୃଣମୂଳ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଏବେ ମମତାଙ୍କ ଏହି ମୁସଲିମ କାର୍ଡ ଉପରେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଦିଦିଙ୍କ ଖେଳାକୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍
ଦିଦିଙ୍କ ଖେଳାକୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍

By

Published : Apr 6, 2021, 9:51 PM IST

କୋଲକାତା: ତୃତୀୟ ପର୍ଯ୍ୟାୟ ମତଦାନ । ବଙ୍ଗ ମୈଦାନରେ କଡା ଟକ୍କର । ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ବଢିବା ସହିତ ବୃଦ୍ଧି ପାଉଛି ରାଜନୈତିକ ତାତି । ଆଉ ଜାରି ରହିଛି ବୟାନବାଜିର ରାଜନୀତି ।

ଖେଳା ହୋବେକୁ ବିକାଶର କାଉଣ୍ଟର ଆଟାକ ପରେ ଏବେ ହିନ୍ଦୁ ମୁସଲିମ କାର୍ଡରେ ବାଜି ଲାଗିଛି ବଙ୍ଗ ନିର୍ବାଚନର ଭାଗ୍ୟ । ଏହାରି ମଧ୍ୟରେ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ତିନି ଦିନ ପୂର୍ବରୁ ରାୟଦିଘିର ନିର୍ବାଚନୀ ରାଲିରେ ବିଜେପିର ଭୟ ଦେଖାଇ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ତୃଣମୂଳ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଏବେ ମମତାଙ୍କ ଏହି ମୁସଲିମ କାର୍ଡ ଉପରେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମମତାଙ୍କ ବିରୋଧରେ ହିନ୍ଦୁ-ମୁସଲିମ ରାଜନୀତିର ଅଭିଯୋଗ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ କୁଚବିହାରର ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମମତା ବାନାର୍ଜୀଙ୍କୁ ଏବେ ଖୋଲାଖୋଲି ଭାବରେ ମୁସଲିମ ଭୋଟ ପାଇଁ ହାତ ପତାଇବାକୁ ପଡୁଛି । ମମତାଙ୍କ ହାତରୁ ମୁସଲିମ ଭୋଟ ବ୍ୟାଙ୍କ୍‌ ଖସୁଥିବା ନେଇ ନଜର ଆସୁଛି । ହେଲେ ଏଯାବତ ମମତାଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ ଆସିନାହିଁ । ମୋଦି ଆହୁରି କହିଛନ୍ତି, ଯଦି ମୁଁ କହିଥାନ୍ତି ଯେ ସବୁ ହିନ୍ଦୁ ଏକଜୁଟ ହୋଇ ବିଜେପିକୁ ଭୋଟ ଦିଅ, ତାହେଲେ ଏବେସୁଦ୍ଧା ମୋ ପାଖରେ ନିର୍ବାଚନ ଆୟୋଗର ନୋଟିସ ପହଞ୍ଚି ସାରନ୍ତାଣି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଭଳି ଆସନ ରହିଛି ଯେଉଁଠି ମୁସଲିମ ଭୋଟ ସମସ୍ତ ରାଜନୈତିକ ଦଳ ପାଇଁ ବେଶ ମହତ୍ବ ରଖେ । ଏଭଳି ଆସନରେ ମୁସଲିମ ଭୋଟ ନିର୍ଣ୍ଣାୟକ ଭୂମିକାରେ ରହିଛି, ଯେଉଁଠ ଆବାସ ସିଦ୍ଦିକଙ୍କ ଦଳ ଉଭୟ ବାମଦଳ ଓ କଂଗ୍ରେସ ମେଣ୍ଟ ସହିତ ହାତ ମିଳାଇ ନିର୍ବାଚନୀ ମୈଦାନରେ ଭାଗ୍ୟ ନିର୍ଦ୍ଧାରଣ କରୁଛି । ତେବେ ଏଭଳିସ୍ଥିତିରେ ମୁସଲିମ ବହୁଳ ଆସନରେ ତୃଣମୂଳ କଂଗ୍ରେସର ଭୋଟ କଟିବାର ଅଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ହୁଏତ ଏହି ଭୟ ବେଳ ଥାଉଥାଉ ମମତାଙ୍କୁ ଚେତାଇବା ସହିତ ମୁସଲିମ ଭୋଟ ହାତେଇବା ପାଇଁ କରିଦେଇଛି ବିଚଳିତ।

ପଶ୍ଚିମବଙ୍ଗରେ ପାଖାପାଖି 27 ପ୍ରତିଶତ ମତଦାତା ସଂଖ୍ୟାଲଘୁ । ଆଉ ଏହି ଭୋଟ ସେୟାର ରାଜ୍ୟର 100ଟି ଆସନରେ ଅର୍ଜନ କରିବ ନିର୍ଣ୍ଣାୟକ ଭୂମିକା । ଏଥିମଧ୍ୟରୁ 47ଟି ଆସନ ଏଭଳି ରହିଛି, ଯେଉଁଠି 50 ପ୍ରତିଶତରୁ ବି ଅଧିକ ଅଛନ୍ତି ମୁସଲିମ ମତଦାତା ।

ତେବେ ଅସଦୁଦ୍ଦିନ ଓୱେସୀଙ୍କ ଠାରୁ ଆରମ୍ଭ କରି ଆବାସ ସିଦ୍ଦିକୀ ଓ ବାମଦଳ-କଂଗ୍ରେସ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ମୁସିଲମ ଭୋଟରଙ୍କ ଉପରେ ରହିଛି ଜୋରଦାର ଫୋକସ । ଏଥିପାଇଁ ଗଡ ବଞ୍ଚାଇବାକୁ ମୁସଲିମ ଭୋଟ ଦିଦିଙ୍କ ପାଇଁ ଏକମାତ୍ର ସାହାରା ପାଲଟିଛି । ଆଉ ଏହି ଭୋଟବ୍ୟାଙ୍କକୁ ଯୋଡି ରଖିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ଦିଦି ।

ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା ଓ ବୀରଭୂମ ଜିଲ୍ଲାର କିଛି ଅଂଶରେ ମୁସଲିମ ସମ୍ପ୍ରଦାୟ ସଂଖ୍ୟା ଅଧିକ । ସେଠାରେ ଧର୍ମ ଆଧାରରେ ଦେଖିବାକୁ ମିଳେ ଅଧିକ ଧ୍ରୁବୀକରଣ । 2019 ଲୋକସଭା ନିର୍ବାଚନରେ ଝାରଗ୍ରାମ, ପୁରୁଲିଆ, ବାଙ୍କୁଡା, ପୂର୍ବ ମେଦିନାପୁର ଏବଂ ହୁଗୁଳିରେ ମୁସଲିମ ଜନସଂଖ୍ୟା କମ୍ଥି‌ବା ସତ୍ତ୍ବେ ଏହିସବୁ ଆସନରେ ବିଜେପିର ସପକ୍ଷରେ ଥିଲେ ହିନ୍ଦୁ ଭୋଟର ।

ମମତାଙ୍କ ମୁସଲିମ କାର୍ଡ ସତ୍ତ୍ବେ ଏହିସବୁ ଆସନ ତୃଣମୂଳ କଂଗ୍ରେସ ସପକ୍ଷରେ ଯାଉଛି ବୋଲି ଜୋର ଦେଇ କୁହାଯାଇପାରିବ ନାହିଁ ।ଏସବୁକୁ ନଜରରେ ରଖି ମମତା ମଧ୍ୟ ନିଜର ହିନ୍ଦୁ ଛବିକୁ ସର୍ବ ସମ୍ମୁଖକୁ ଆଣିବାକୁ କରୁଛନ୍ତି ଚେଷ୍ଟା । ଆଜିକାଲି ନିର୍ବାଚନୀ ସଭାରେ ଦିଦି ହିନ୍ଦୁ ଦେବାଦେବୀଙ୍କ ନାଁ ନେବା ସହିତ ମନ୍ଦିର ଦର୍ଶନ ଓ ମନ୍ତ୍ରୋଚାରଣ କରୁଥିବା ନଜର ଆସୁଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ସେ ହିନ୍ଦୁ ବ୍ରାହ୍ମଣମାନଙ୍କ ପାଇଁ ଷ୍ଟାଇପେଣ୍ଡ ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ନିର୍ବାଚନ ମଧ୍ୟରେ ହିନ୍ଦୁ ଭୋଟକୁ ବାଣ୍ଟିବାକୁ ଜୋର ଦେଇଥିଲେ ଦିଦି । ହେଲେ ଦିଦିଙ୍କ ଏହି ଖେଳାରେ ବାରମ୍ବାର ରାସ୍ତା ଅବରୋଧ କରୁଛି ବିଜେପି । ଯାହାଫଳରେ ପୁନର୍ବାର ମୁସଲିମ ଭୋଟର ମୁହାଁ ହେବାକୁ ବାଧ୍ୟ ହୋଇଛନ୍ତି ମମତା । ଆଉ ଏହା ନିଶ୍ଚିତ ରୂପେ ଗୋଟିଏ ପକ୍ଷେ ବିଜେପିର ବିଜୟ ବୋଲି ଅନୁମାନ କରିହେଉଛି ।

ପଶ୍ଚିମବଙ୍ଗ ଦକ୍ଷିଣ 24 ପ୍ରଗଣା ଓ ଉତ୍ତର 24 ପ୍ରଗଣାର ମୁସଲିମ ବହୁଳ ଅଞ୍ଚଳରେ ଧ୍ରୁବୀକରଣ ଅଧିକ ଘନେଇଥାଏ । ଯେତେବେଳେ ମମତା ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ଭୋଟ ଉପରେ ଫୋକସ ପକାଇଥିଲେ, ସେତେବେଳ ଅବ୍ବାସ ସିଦ୍ଦିକୀଙ୍କ ନୂଆ ଦଳ ସହ ମେଣ୍ଟ କରିବାକୁ ଜୋର ଦେଇଥିଲା ବାମଦଳ । ତୃଣମୂଳ କଂଗ୍ରେସ ଉପରେ ସିଦ୍ଦିକିଙ୍କ ଟାର୍ଗେଟ ମୁସଲିମ ବହୁଳ ଅଞ୍ଚଳରେ ବାମପନ୍ଥୀ ଏବଂ କଂଗ୍ରେସକୁ ଏକ ନୂତନ ଉତ୍ସାହ ପ୍ରଦାନ କରିଛି । ଅନ୍ୟପକ୍ଷରେ ଏହି ମେଣ୍ଟ ହିନ୍ଦୁ ଭୋଟରଙ୍କୁ ଯୋଡିବା ପାଇଁ ବିଜେପିର ଏଜେଣ୍ଡାକୁ କରିଛି ଅଧିକ ସହଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପକ୍ଷେ ମୁସଲିମଙ୍କୁ ଏକଜୁଟ କରିବାକୁ ନେଇ ମମତାଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟପକ୍ଷେ ଇଶାରା ଇଶାରାରେ ହିନ୍ଦୁଙ୍କୁ ଦେଇଛନ୍ତି ବଡ ରାଜନୈତିକ ବାର୍ତ୍ତା । ଆଉ ଏଭଳି ଭାବରେ ବଡ ଗୋଟି ଚାଳନା କରିବା ସହିତ ଦିଦିଙ୍କୁ ତାଙ୍କରି ବୟାନର ଜାଲରେ ହିଁ ଛନ୍ଦି ଦେଇଛନ୍ତି ମୋଦି । ଯଦିଓ ମୋଦି ଖୋଲାଖୋଲି ଭାବରେ ହିନ୍ଦୁଙ୍କୁ ଏକଜୁଟ ହେବାକୁ ଅପିଲ କରିନାହାଁନ୍ତି, ତଥାପି ତାଙ୍କ ବୟାନ କୌଣସି ମାଷ୍ଟରଷ୍ଟ୍ରୋକରୁ କମ ନୁହେଁ ବୋଲି ଜୋର ଦେଇ କୁହାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details