ମୁମ୍ବାଇ:ଆସନ୍ତା 11 ତାରିଖରେ ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର (Mumbai-Nagpur Expressway) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟରେ ନାଗପୁରରୁ ଶିରଡି ଯାଏ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ଏହାର ଉଦଘାଟନ କରିବେ ମୋଦି । ଏନେଇ ଶନିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ ସୂଚନା ଦେଇଛନ୍ତି ।
ଶନିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ ସୂଚନା ଦେଇ କହିଛନ୍ତି, "ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର (Mumbai-Nagpur Expressway) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଅବଶିଷ୍ଟ ଆସନ୍ତା ମାସରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । 500 କିମି ରାସ୍ତା ବିଶିଷ୍ଟ ଏହି ଏକ୍ସପ୍ରେସୱେ ଆସନ୍ତା 6 ମାସ ମଧ୍ୟରେ ଜନସାଧାରଣଙ୍କ ପାଇଁ ଖୋଲାଯିବ । " ଏହି ଏକ୍ସପ୍ରେସୱେ ମହାରାଷ୍ଟ୍ରରେ ଏକ ନୂତନ ଅର୍ଥନୈତିକ କରିଡର ନିର୍ମାଣ କରିବ ବୋଲି ସେ କହିଛନ୍ତି । ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେ 14ଟି ଜିଲ୍ଲା ଓ ବନ୍ଦରଗୁଡ଼ିକୁ ସଂଯୋଗ କରିବ । ମୁମ୍ବାଇ-ପୁଣେ ଏକ୍ସପ୍ରେସୱ ପରେ ଏହା ରାଜ୍ୟର ଦ୍ବିତୀୟ ବୃହତ ଏକ୍ସପ୍ରେସୱେ ଅଟେ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରକଳ୍ପର ସମୀକ୍ଷା ପାଇଁ ଯିବେ । ତେବେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ।