ନୂଆଦିଲ୍ଲୀ:ମୋଦି ସାଙ୍ଗିଆ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ବସ୍ତି । ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ମାମଲାର ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ଦଣ୍ଡାଦେଶ ଉପରେ ରୋକ୍ ଲାଗିବ ବୋଲି କୋର୍ଟ କହିଛନ୍ତି । ୪ ବର୍ଷ ତଳର ଏହି ମାନହାନୀ ମାମଲାରେ ସୁରତ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଇଥିଲେ । ଗୁଜୁରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଯାହାଫଳରେ ରାହୁଲଙ୍କ ଲୋକସଭା ସଦସ୍ୟତା ଫେରି ପାଇବାର ଆଶା ମଉଳି ଯାଇଥିଲା । ପରବର୍ତ୍ତୀ ଶୁଣାଣିରେ ଆସିବ ଚୂଡାନ୍ତ ରାୟ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ‘ସବୁ ମୋଦି ସାଙ୍ଗିଆଧାରୀ ଚୋର’ ବୋଲି କହିଥିଲେ ରାହୁଲ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁରୁରାଟର ତତ୍କାଳୀନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମାମଲା ଦାୟର କରିଥିଲେ । ଏନେଇ କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ: Modi Surname Case: ଗୁଜୁରାଟ ହାଇକୋର୍ଟରୁ ନିରାଶ ହେଲେ ରାହୁଲ, ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ
ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ସୁରଟ ଜିଲ୍ଲା କୋର୍ଟ ଏହି ମୋଦି ସାଙ୍ଗିଆ ମାନହାନୀ ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିବା ବେଳେ ଏହାର କିଛି ସମୟ ପରେ ରାହୁଲଙ୍କୁ ଜାମିନ ମିଳିଥିଲା । କିନ୍ତୁ ଦଣ୍ଡାଦେଶ ଯୋଗୁଁ ତାଙ୍କର ସାଂସଦ ପଦ ରବ୍ଦ ହୋଇଯାଇଥିଲା । ତଳ କୋର୍ଟ ରାୟ ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । ପରେ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା ।
ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ମାନହାନୀ ମାମଲାରେ କ୍ଷମା ମାଗିବେ ନାହିଁ ବୋଲି କୋର୍ଟରେ କହିଥିଲେ ରାହୁଲ । ଗତ ୨୧ ତାରିଖରେ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦଲାତ ଗୁଜୁରାଟ ସରକାରଙ୍କ ସମେତ ଆବେଦନକାରୀ ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କରିଥିଲେ । ଜଷ୍ଟିସ ବି.ଆର ଗଭାଇଙ୍କ ନେତୃତ୍ବାଧିନ ତିନି ଜଣିଆ ଖଣ୍ଡପୀଠ ଆଜି ରାହୁଲଙ୍କ ଦଣ୍ଡ ଉପରେ ରୋକ୍ ଲଗାଇଛନ୍ତି ।