ରାଞ୍ଚି: ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଞ୍ଚି କୋର୍ଟ । ଆସନ୍ତା ଜୁଲାଇ ୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଆଇନଜୀବୀ ପ୍ରଦୀପ ମୋଦି କୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲ ରାଞ୍ଚିର ଏମପି-ଏମଏଲଏ କୋର୍ଟରେ ବିଚାରଧୀନ ରହିଛି । ଆସନ୍ତା ମାସ ୪ ତାରିଖରେ କୋର୍ଟରେ ଶୁଣାଣି ଥିବାରୁ ହାଜର ହେବାକୁ ରାହୁଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗତକାଲି (ଶୁକ୍ରବାର) କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ବେଳେ ରାହୁଲ ଗାନ୍ଧୀଙ୍କ ଆଇନଜୀବୀ କୋର୍ଟଙ୍କୁ ୧୫ଦିନର ମହଲତ ମାଗିଥିଲେ । କାରଣ ଏହି ମାମଲା ହାଇକୋର୍ଟରେ ମଧ୍ୟ ଅପିଲ କରାଯାଇଥିଲା । ଏନେଇ କୋର୍ଟ ମହଲତ ଦେଇଥିଲେ । ହାଇକୋର୍ଟରେ ବ୍ୟକ୍ତିଗତ ହାଜର ନ ହେବା ଲାଗି ଆବେଦନ କରାଯାଇଥିଲା, ମାତ୍ର କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ । ତେବେ ହାଇକୋର୍ଟଙ୍କ ଏହି ଆଦେଶ ଯୋଗୁଁ ଆସନ୍ତା ୪ ତାରିଖରେ ରାହୁଲଙ୍କୁ ଯେକୌଣସି ପରିସ୍ଥିତିରେ କୋର୍ଟରେ ହାଜର ହେବାକୁ ପଡ଼ିବ ।