ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଉଭୟ ନେତା ଆଜି ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି । ଉଭୟ ଦେଶର ମିଳିତ ପ୍ରସଙ୍ଗ, ଅନ୍ୟ କ୍ଷେତ୍ରୀୟ ଓ ବୈଶ୍ବିକ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମଧ୍ୟରେ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତି ଓ ଋଷ ଅଧ୍ୟକ୍ଷତାରେ ଚଳିତବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ‘ବ୍ରିକ୍ସ’ ପ୍ରମୁଖ ପ୍ରସଙ୍ଗ ସମ୍ମିଳନୀ ରହିଥିବା ନେଇ ସୂଚନା ମିଳିଛି ।
ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାରେ ଦ୍ୱିପାକ୍ଷିକ ସହଯୋଗ ସହ ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶର ଭାଗିଦାରୀ ସମୀକ୍ଷା କରିଥିଲେ ଉଭୟ ନେତା । ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ମାଧ୍ୟମରେ ଭାରତ-ଋଷର ଭାଗିଦାରୀକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସହମତ ହୋଇଥିଲେ ଉଭୟ ରାଷ୍ଟ୍ରମୁଖ୍ୟ । ପାରସ୍ପରିକ ସ୍ବାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ମତ ବିନିମୟ କରିଥିଲେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ମସିହାରେ ‘ବ୍ରିକ୍ସ’ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଋଷକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶିଖର ସମ୍ମିଳନୀରେ ଭାରତର ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ନିଶ୍ଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜିର ଆଲୋଚନା ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।