ନୂଆଦିଲ୍ଲୀ:କେନ୍ଦ୍ରରେ ବିଜେପି ନେତୃତ୍ବାଧିନ ବିଜେପି ସରକାର ୭ ବର୍ଷ ହେଲା ଶାସନ କରୁଛି । ଆଉ ଏହି ୭ ବର୍ଷରେ କିଛି ଚର୍ଚ୍ଚିତ ନିଷ୍ପତ୍ତି ହିଁ ମୋଦି ସରକାରଙ୍କୁ ଲୋକପ୍ରିୟତାର ଶୀର୍ଷକୁ ନେଇଛି । ଯଦିଓ ସରକାର ନିଜର ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୋଇନାହାଁନ୍ତି ମହାମାରୀ ପାଇଁ, କିନ୍ତୁ ସେହି ଚର୍ଚ୍ଚିତ ନିଷ୍ପତ୍ତି ହିଁ ସରକାରଙ୍କୁ ନୂଆ ପଦକ୍ଷେପ ନେବାକୁ ସାହାସ ଦେଉଛି ।
ଆଜି ୫ ଅଗଷ୍ଟ ୨୦୨୧ । ଗତ ୨ବର୍ଷ ଧରି ଭାରତୀୟ ରାଜନୀତିରେ ଏହି ଦିନ ଏକ ଚର୍ଚ୍ଚିତ ଦିନ । କୁହାଯାଏ ଅଗଷ୍ଟ ୫ ମୋଦି ସରକାରଙ୍କ ପାଇଁ ମାହେନ୍ଦ୍ର ବେଳା । ସରକାର ବଡ ଓ ଐତିହାସିକ ନିଷ୍ପତ୍ତି ନେବାକୁ ଏହି ଦିନକୁ ଚୟନ କରିଥାନ୍ତି । ବର୍ଷ ୨୦୧୯ ଅଗଷ୍ଟ ୫ ରେ ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରି ନେଇଥିଲେ ସାହସିକ ଓ ଐତିହାସିକ ନିଷ୍ପତ୍ତି । ସେହିପରି ଗତ ବର୍ଷ ଅର୍ଥାତ ୨୦୨୦ ଅଗଷ୍ଟ ୫ରେ ଅଯୋଧ୍ୟାରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଶିଳାନ୍ୟାସ । ଆଉ ଏବେ ସଂସଦ ଚାଲୁଥିବାରୁ ଏହି ବର୍ଷ ତଥା ଆଜି (୫ ଅଗଷ୍ଟ ୨୦୨୧) ରେ ସରକାର କଣ ନିଷ୍ପତ୍ତି ନେବେ ? ନା ସରକାରଙ୍କ ଧମାକାଦାର ନିଷ୍ପତ୍ତିରେ ଲାଗିବ ବିରାମ । ତାହା ଉପରେ ଏବେ ଦେଶବାସୀଙ୍କ ନଜର ।
ମୋଦି ସରକାରଙ୍କ ସ୍ବତନ୍ତ୍ର ଦିନ...
ଅଗଷ୍ଟ ୫ ହେଉଛି ଭାରତ ରାଜନୀତି ପାଇଁ ସ୍ବତନ୍ତ୍ର ଦିନ । ଆଜିର ଦିନରେ ବିଜେପିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅଖଣ୍ଡ ଭାରତ ସ୍ବପ୍ନକୁ ଆଶିଂକ ସାକାର କରିଥିଲା ବିଜେପି ସରକାର । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ୨୦୧୯ ଅଗଷ୍ଟ ୫ ରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଓ ୩୫(କ) କୁ ଉଚ୍ଛେଦ କରି ବଦଳାଇ ଦେଇଥିଲେ ହିନ୍ଦୁସ୍ତାନର ସ୍ବର୍ଗ କୁହାଯାଉଥିବା ଜମ୍ମୁ କାଶ୍ମୀର ଇତିହାସ ଭୂଗୋଳ । ସେହି ବର୍ଷ ୮ ଅଗଷ୍ଟରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀଙ୍କ ସ୍ବପ୍ନ ଦେଶବାସୀଙ୍କ ଆଶା ପୂରଣ ହୋଇଛି । ଜମ୍ମୁ କାଶ୍ମୀର ଓ ଲଦାଖର ନୂଆ ଯୁଗ ଆରମ୍ଭ ହୋଇଛି । ଆଉ ବିଜେପି ନିଜର ଗୋଟିଏ ନିର୍ବାଚନୀ ପ୍ରତିଶୃତି ପୂରଣ କରିଛି ।
5 ଅଗଷ୍ଟ 2020 ...
2020 ଅଗଷ୍ଟ ୫ ପରି ଗତବର୍ଷ ସମାନ ଦିନରେ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ ମୋଦି ସରକାର । ଶହ ଶହ ବର୍ଷର ବିବାଦକୁ ଆଇନଗତ ଭାବେ ସମାଧାନ କରି ସନାତନ ହିନ୍ଦୁ ଧର୍ମର ପ୍ରତୀକ ଭାବାବେଗ ସହ ଜଡିତ ଅଯୋଧ୍ୟାରେ ଭବ୍ୟ ବିଦ୍ୟ ରାମ ମନ୍ଦିର ନିର୍ମାଣ ପଡିଥିଲା ଭିତ୍ତପ୍ରସ୍ତର । ଯାହା ବିଶ୍ବର କୋଣ ଅଣୁକୋଣରେ ଥିବା କୋଟି କୋଟି ରାମ ଭକ୍ତ ଓ ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଥିଲା ସ୍ବପ୍ନର ଦିନ । ଆଉ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପଥ ପରିଷ୍କାର କରି ମୋଦି ସରକାର ହୋଇଯାଇଥିଲେ ହିନ୍ଦୁ ସନାତନ ସଂସ୍କୃତିର ରକ୍ଷକ । ଶେଷରେ ପୂରଣ ହୋଇଥିଲା ବିଜେପିର ଆଉ ଏକ ନିର୍ବାଚନୀ ପ୍ରତିଶୃତି ।
ଯୋଗୀଙ୍କ ମତରେ ଅଗଷ୍ଟ ୫ ...
ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୟୁପି ଗସ୍ତରେ ଥିବାବେଳେ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୫ ଅଗଷ୍ଟକୁ ନେଇ ଗଦଗଦ ହୋଇପଡିଥିଲେ । । ଯୋଗୀ କହିଥିଲେ ଅଗଷ୍ଟ ୫ ଆମ ପାଇଁ ଏକ ସ୍ବତନ୍ତ୍ର ସ୍ମରଣୀୟ ଓ ଉତ୍ସବର ଦିନ । ଏହି ଦିନ ଭାରତମାତାର ଛାତିରୁ ହଟିଥିଲା କଳଙ୍କର କଳା ଦାଗ । ଆଉ ଏହି ଦିନ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ରାମଙ୍କ ଜନ୍ମ ଭୂମିରେ ପ୍ରତିଷ୍ଠା ହୋଇଥିଲା ହିନ୍ଦୁଙ୍କ ଆସ୍ଥା ଓ ଆବେଗ । ଏହି ଦିନ ଉତ୍ସବର ଦିନ ବୋଲି ଯୋଗୀ କହିଥିଲେ ।