ଓଡିଶା

odisha

ଅକ୍ଟୋବର 8ରେ ନ୍ୟୁ-ଜର୍ସିରେ ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର

By ETV Bharat Odisha Team

Published : Sep 24, 2023, 4:07 PM IST

ଅକ୍ଟୋବର 8ରେ ଆମେରିକାର ନ୍ୟୁ-ଜର୍ସିରେ ଉଦଘାଟିତ ହେବାକୁ ଯାଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର । 2011ରେ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

2 ସପ୍ତାହ ମଧ୍ୟରେ ନ୍ୟୁ-ଜର୍ସିରେ ଉଦଘାଟିତ ହେବ ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର
2 ସପ୍ତାହ ମଧ୍ୟରେ ନ୍ୟୁ-ଜର୍ସିରେ ଉଦଘାଟିତ ହେବ ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର

ହାଇଦ୍ରାବାଦ:ଭାରତ ବାହାରେ ଆମେରିକାର ନ୍ୟୁ-ଜର୍ସିରେ ନିର୍ମାଣ କରାଯାଉଥିବା ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର ଆସନ୍ତା ମାସ (ଅକ୍ଟୋବର) 8 ତାରିଖରେ ଉଦଘାଟିତ ହେବାକୁ ଯାଉଛି । BAPS ଆଧ୍ୟାତ୍ମିକ ମୁଖ୍ୟ ମହନ୍ତ ସ୍ୱାମୀ ମହାରାଜଙ୍କ ଦିଗଦର୍ଶନରେ ଏହାକୁ ଉଦଘାଟିତ କରାଯିବା ନେଇ ସୂଚନା ମିଳିଛି । 2011 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାୟ 12 ବର୍ଷ ମଧ୍ୟରେ ଏହି ଭବ୍ୟ ଓ ବିଶାଳ ମନ୍ଦିର ନିର୍ମାଣ ଶେଷ ହୋଇଛି । ଏହାକୁ 8 ତାରିଖରେ ଉଦଘାଟନ କରାଯିବା ପରେ 18 ତାରିଖରୁ ସାଧାରଣ ଶ୍ରଦ୍ଧାଳୁ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ।

ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର

ଏହି ମନ୍ଦିରଟି ଆମେରିକୀୟ ସହର ନ୍ୟୁ-ଜର୍ସିରେ ରହିଛି । ଏହା ନ୍ୟୁୟର୍କର ଟାଇମ୍ସ ସ୍କୋୟାରର ଦକ୍ଷିଣରୁ ପ୍ରାୟ 60 ମାଇଲ (90 କିଲୋମିଟର) ଓ ରାଜଧାନୀ ୱାଶିଂଟନ ଡିସିର ଉତ୍ତରରୁ ପ୍ରାୟ 180 ମାଇଲ୍ (289 କିଲୋମିଟର) ଦୂରରେ ରହିଛି । ନ୍ୟୁ-ଜର୍ସିର ରବିନ୍ସଭିଲ୍ ଟାଉନସିପର ମଧ୍ୟଭାଗରେ ଏହାକୁ ନିର୍ମାଣ କରାଯାଇଛି । ଦିଲ୍ଲୀର ଅକ୍ଷରଧାମ ମନ୍ଦିରର ବାସ୍ତୁକଳାର ଅନୁରୂପ ଭାବେ ନିର୍ମିତ ଏହି ଭବ୍ୟ ମନ୍ଦିରର କ୍ଷେତ୍ରଫଳ ରହିଛି ପ୍ରାୟ 183 ଏକର ପରିମିତ ଅଞ୍ଚଳ । ଏହାର ନିର୍ମାଣରେ ପ୍ରାୟ 12 ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କର ଅବଦାନ ରହିଛି । ନଭେମ୍ବର 2005ରେ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିବା ନୂଆଦିଲ୍ଲୀର ଅକ୍ଷୟ ମନ୍ଦିର 100 ଏକର ଉପରେ ବ୍ୟାପିଛି ।

କମ୍ବୋଡିଆରେ ଥିବା ବିଶ୍ବର ସର୍ବବୃହତ ହିନ୍ଦୁ ମନ୍ଦିର ଅଙ୍କୋରବଟ ମନ୍ଦିର

ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର କ୍ଷେତ୍ରଫଳ ଓ କାରିଗରୀ ଏହି ଭବ୍ୟ ମନ୍ଦିରରେ ଦେଖିବାକୁ ମିଳିବ । ଏହି ମନ୍ଦିରର ପ୍ରସ୍ତ 255 ଫୁଟ ଓ ଦୈର୍ଘ୍ୟ 345 ଫୁଟ । ଯାହାକି ପ୍ରାୟ 183 ଏକର ପରିମିତ ଅଞ୍ଚଳରେ ରହିଛି । ସେହିପରି ଏହାର ଉଚ୍ଚତା 191 ଫୁଟ ରହିଛି । ଏହା ପ୍ରାଚୀନ ହିନ୍ଦୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଡିଜାଇନ୍ ହୋଇଛି । ହିନ୍ଦୁ ପୂରାଣ ବର୍ଣ୍ଣିତ ପ୍ରାୟ 10,000 ବିଭିନ୍ନ ଭାରତୀୟ ଦେବାଦେବୀଙ୍କ ମୂର୍ତ୍ତି, ଭାରତୀୟ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ଝଲକ ଏହି ମନ୍ଦିରର ପ୍ରସ୍ତର ଖୋଦିତ କାର୍ଯ୍ୟରେ ସ୍ଥାନ ପାଇଛି ।

ଏହା ମଧ୍ୟ ପଢନ୍ତୁ :- Watch: ଉଜ୍ଜୟିନୀ ବାବା ମହାକାଳଙ୍କୁ ରୂପା ମୁକୁଟ ଦାନ କଲେ ଭକ୍ତ

ଆମେରିକାରେ ନିର୍ମିତ ଏହି ଭବ୍ୟ ମନ୍ଦିରଟି ବିଶ୍ବର ଦ୍ବିତୀୟ ବୃହତ୍ତମ ହିନ୍ଦୁ ମନ୍ଦିରର ମାନ୍ୟତା ହାସଲ କରିବାକୁ ଯାଉଛି । ଏହାପୂର୍ବରୁ କମ୍ବୋଡିଆରେ ଥିବା ଅଙ୍କୋରବଟ ମନ୍ଦିର ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର ଭାବେ ସ୍ଥାନ ପାଇଛି । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର 500 ଏକର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଥିଲା । ଏହା ଏବେ ୟୁନେସ୍କୋ ଦ୍ବାରା ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମଧ୍ୟ ମାନ୍ୟତା ଅର୍ଜନ କରିଛି । ଏହି ଭବ୍ୟ ବିଶାଳ ମନ୍ଦିର ପରେ ବିଶ୍ବର ବିଭିନ୍ନ ଦେଶରେ ହିନ୍ଦୁ ମନ୍ଦିର ରହିଥିଲେ ସୁଦ୍ଧା ଆମେରିକାର ନ୍ୟୁ-ଜର୍ସିରେ ନିର୍ମିତ ଏହି ମନ୍ଦିର ବିଶ୍ବର ଦ୍ବିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ମାନ୍ୟତା ପାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details