ଓଡିଶା

odisha

TN Hooch Tragedy: ବୃଦ୍ଧି ପାଉଛି ମଦ ମୃତ୍ୟୁସଂଖ୍ୟା, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

By

Published : May 18, 2023, 3:51 PM IST

ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ନିର୍ଦ୍ଦେଶ ପରେ ଦୁଇ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ତାମିଲନାଡ଼ୁରେ ମଦ ଜନିତ ମୃତ୍ୟୁ ସଂଖ୍ୟାର ତଦନ୍ତ ପାଇଁ ଏହି ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

TN Hooch Tragedy
TN Hooch Tragedy

ଚେନ୍ନାଇ:ତାମିଲନାଡୁରେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । ରାଜ୍ୟରେ ମଦ ପିଇ ବର୍ତ୍ତମାନ ସୁଦ୍ଧା ୧୬ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ । ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଛେଙ୍ଗାଲପାଟୁ ଜିଲ୍ଲାରେ ମଦ ଜନିତ ମୃତ୍ୟୁକୁ ନେଇ ଚେନ୍ନାଇରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଖବରଅନୁସାରେ, ଗତକାଲି(ବୁଧବାର) ହୋଇଥିବା ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଏନଫୋର୍ସମେଣ୍ଟ୍‌ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମଦ ଚୋରାଚାଲାଣ ଉପରେ ରୋକ୍‌ ଲଗାଇବା ପାଇଁ ବିଶେଷ ଆଲୋଚନା ହୋଇଥିବା ନେଇ ସୁତ୍ରରୁ ଜଣାପଡିଛି । ବୁଧବାର ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମଦ ଚୋରା ଚାଲାଣକୁ ରୋକିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ଟୋଲ୍‌ ଫ୍ରି' ନମ୍ବର ମଧ୍ୟ ଜାରି କରାଯାଇଛି । ୧୦୫୮୧ ଏହି ଟୋଲ୍‌ ଫ୍ରି' ନମ୍ବର ମାଧ୍ୟମରେ ମଦ ଚୋରାଚାଲାଣ ନେଇ ଖବର ଦେଇ ପାରିବେ । ପ୍ରତି ସୋମବାର ଦିନ ଗୃହ ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ରିପୋର୍ଟ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି, "ରାଜ୍ୟରେ ମଦ ମୃତ୍ୟୁ ରୋକିବା ସହ ବିଷାକ୍ତ ମଦ ଚାଲାଣ ରୋକିବା ପାଇଁ ପୋଲିସ ବିଭାଗର ତତ୍ପରତା ଆବଶ୍ୟକ । ପ୍ରତି ସୋମବାରରେ ଜିଲ୍ଲାସ୍ତରୀୟ ବୈଠକ କରାଯିବ । ଜିଲ୍ଲାପାଳଙ୍କ ସହ ପୋଲିସ ବିଭାଗ, ରାଜସ୍ବ ବିଭାଗ ଅଧିକାରୀ ଏବଂ ତାମିଲନାଡୁ ରାଜ୍ୟ ଅର୍ଥ ନିଗମ ଅଧିକାରୀଙ୍କୁ ନେଇ ଏହି ବୈଠକ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁରେ ବିଷାକ୍ତ ମଦ ପିଇ 12 ମୃତ, 24ରୁ ଅଧିକ ଗୁରୁତର

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏହାସହ ଲୋକଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ସଚେତନତା ଆଣିବା ପାଇଁ ସ୍କୁଲ୍‌ ଏବଂ ବିଭିନ୍ନ ସ୍ଥାନରେ ସଚେତନାମୂଳକ କାର୍ଯ୍ୟକ୍ରମ କରାଯିବ । ମହିଳା ଏବଂ ଏନ୍‌ଜିଓ କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସାମିଲ ହେବେ । କାରଖାନାରେ ତିଆରି ହେଉଥିବା ମଦରେ ଇଥାନଲ ଏବଂ ମିଥାନଲ ଇପରେ ନଜର ରଖିବାର ଆବଶ୍ୟକତା ରହିଛି ।"

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚ ଏବଂ ସିଆଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତଦନ୍ତ କରାଯାଉଛି । ଗୋମାଥି ଏବଂ ମାହେଶ୍ବରୀ ଦୁଇ ବରିଷ୍ଠ ଅଧିକାରୀ ଏଥରେ ସାମିଲ ରହିଛନ୍ତି । ଏହି ଦୁଇ ଅତିରିକ୍ତ ପୋଲିସ ଅଧିକାରୀଙ୍କୁ ଭିଲ୍ଲୁପୁରମ ଏବଂ ଛେଙ୍ଗାଲପାଟୁ ଜିଲ୍ଲାରେ ତଦନ୍ତରକାରୀ ଅଧିକାରି ଦାୟିତ୍ବ ଦିଆଯାଇଛି ।

ABOUT THE AUTHOR

...view details