ଭୁବନେଶ୍ବର: ମିଶନ ଶକ୍ତି ଯୋଜନାରେ ଆସନ୍ତା ପାଞ୍ଚଟି ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଜେଟରେ ୪୯୭୩.୩୯ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏଥିରେ ଥିବା ରାଜନୈତିକ ଉଦେଶ୍ୟକୁ ବାରିଛନ୍ତି ବିରୋଧୀ । ମହିଳା ଭୋଟ ବ୍ୟାଙ୍କକୁ ନଜରରେ ରଖି ସରକାର ମିଶନ ଶକ୍ତିକୁ ବେଶୀ ଗୁରୁତ୍ବ ଦେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏହାର ଜବାବ ରଖିଛନ୍ତି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।
ସରକାର କରୁଛନ୍ତି ମହିଳାଙ୍କ ବିକାଶ, ବିରୋଧୀଙ୍କୁ ନେଇ ନାହୁଁ ବିବ୍ରତ: ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି ଯେ, ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ସେଥିରେ ମହିଳାଙ୍କୁ ଗୁରୁତ୍ବ ଦେଉଛନ୍ତି । ୨୦୦୧ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ପ୍ରୋଜେକ୍ଟରେ ୭୦ ଲକ୍ଷ୍ୟ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେମାନେ ଓଡିଶା ବିକାଶ ରେ ସାମିଲ ହୋଇପାରିଛନ୍ତି । ପଞ୍ଚମ ପାଳି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ବିକାଶରେ ମହିଳାଙ୍କ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ । ପ୍ରଥମ କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା ମା ମାନଙ୍କୁ ସରକାରୀ କାମରେ ସାମିଲ କରାଯିବ । ଏହାର ସଫଳ ରୁପାୟନ ହୋଇଛି ବୋଲି ସେ କହିଛନ୍ତି ।
ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ଅନୁସାରେ ମିଶନ ଶକ୍ତି ଯୋଜନା ପାଇଁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଜେଟରେ ୪୯୭୩.୩୯ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ସାରା ରାଜ୍ୟର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ତାଙ୍କର ମହାସଂଘ ଗୁଡିକର ସଶକ୍ତିକରଣ । ମିଶନ ଶକ୍ତି ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୫୦, ୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା । ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା । ସାରା ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି କରିବା ପାଇଁ ୫୦୦ ଗୋଟି ମିଶନ ଶକ୍ତି ବଜାର ଓ ଆଉଟଲେଟ ସ୍ଥାପନ । ପ୍ରାୟ ୩୫ ରୁ ୪୦ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯିବ । ପ୍ରତ୍ୟେକ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ସହରୀ ୱାର୍ଡରେ ମିଶନ ଶକ୍ତି ଭବନର ବ୍ୟବସ୍ଥା । ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ । ଏହାକୁ ନେଇ ରାଜ୍ୟରେ ରାଜନୀତି ଉଷ୍ମ ହୋଇଛି ।
ମିଶନ ଶକ୍ତି ବିଭାଗ ଲାଗି ରାଜ୍ୟ ସରକାର ଭଣ୍ଡାର ଖୋଲିବା ନେଇ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ସରକାର ମିଶନ ଶକ୍ତି ନାଁରେ ଭୋଟ ବ୍ୟାଙ୍କ ବଢାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାର କାଉଣ୍ଟର କରିଛନ୍ତି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ସରକାରୀ ଯୋଜନା ବାବଦରେ ବିରୋଧୀ ଅନେକ କଥା କହିବେ । ସରକାର ମହିଳାଙ୍କ ବିକାଶ ଲାଗି ଅନେକ ସଫଳ ଯୋଜନା କରିଛନ୍ତି । ଯୋଜନାର ବିକାଶ ମହିଳାଙ୍କୁ ଆଗକୁ ନେଇଛି । ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ