ମୁମ୍ବାଇ:ଲିଭ୍ ଇନ ପାର୍ଟନରକୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ମନୋଜ ପୋଲିସକୁ ବିଭ୍ରାନ୍ତିକର ସୂଚନା ଦେଇଥିବା ତଦନ୍ତରୁ ଜଣାପଡିଛି । ମନୋଜ ଓ ପୀଡିତା ବିବାହ କରିଥିଲେ । ପୀଡିତା ଅନାଥ ନଥିଲେ । ତାଙ୍କର ୪ ଜଣ ଭଉଣୀ ଅଛନ୍ତି । ସେ ଚାକିରି ସନ୍ଧାନରେ ମୁମ୍ବାଇ ଆସିଥିଲେ । ଏଠାରେ ମନୋଜ ସହ ତାଙ୍କର ଦେଖା ହୋଇଥିଲା । ଚାକିରି ନମିଳିବାରୁ ଦୁହେଁ ମୀରା ରୋଡ ସ୍ଥିତ ଫ୍ଲାଟରେ ଏକାଠି ରହୁଥିଲେ । ୨୦୧୪ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ ମନୋଜ ମୃତଦେହ ନଷ୍ଟ କରିବା ପାଇଁ ଅନଲାଇନରେ ଟିପ୍ସ ଖୋଜିଥିଲା । ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡରୁ ଅନୁପ୍ରାଣିତ ହୋଇ ଏବଂ ଏକ ୱେବସିରିଜ ଦେଖି ମର୍ଡର ପ୍ଲାନ ବନାଇଥିଲା ।
ସରସ୍ବତୀ ଅନାଥ ବୋଲି ଅଭିଯୁକ୍ତ ଦାବି କରୁଥିବା ବେଳେ ତଦନ୍ତରୁ ଜଣାପଡିଛି ଯେ, ପୀଡିତା ସରସ୍ବତୀ ବୈଦ୍ୟ ୫ ଭଉଣୀ ଅଟନ୍ତି । ପୀଡିତା ସବୁଠୁ ସାନ । ମାଟ୍ରିକ ପରେ ସେ ଔରଙ୍ଗାବାଦର ଏକ ଅନାଥ ଆଶ୍ରମ ପଳାଇ ଆସିଥିଲେ । ନିଜ ଭଉଣୀମାନଙ୍କ ସହ କିଛି ଦିନ ଔରଙ୍ଗାବାଦରେ ରହିଥିଲେ । ଏହି ସମୟରେ ତାଙ୍କର ବାପାମାଆଙ୍କ ବିବାହ ବିଚ୍ଛେଦ ହୋଇଥିଲା । କିଛି ଦିନ ପରେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ନିଖୋଜ ହୋଇଯାଇଥିଲେ । ଏହାପରେ ସେ ନିଜ ଭଉଣୀଙ୍କୁ ଛାଡି ଚାକିରି ପାଇଁ ମୁମ୍ବାଇ ଆସିଥିଲେ । ଚାକିରି ଖୋଜୁଥିବା ବେଳେ ରାସନ ଦୋକାନରେ କାମ କରୁଥିବା ମନୋଜ ସେନଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ପରେ ମନ୍ଦିରରେ ବିବାହ କରିଥିଲେ ଏବଂ ମୀରା ରୋଡ ଅଞ୍ଚଳରେ ରହିଆସୁଥିଲେ ।