ଓଡିଶା

odisha

Mumbai Murder: 3 ଜୁନରେ ଜୀବନ ହାରିଥିଲେ ମହିଳା ! ଭୟରେ ଷଡଯନ୍ତ୍ର ରଚିଥିଲା ପ୍ରେମିକ

By

Published : Jun 9, 2023, 1:07 PM IST

ମୁମ୍ବାଇରେ ଲିଭ୍ ଇନ ପାର୍ଟନରକୁ କାଟି ପ୍ରେସର କୁକରରେ ସିଝାଇବା ଘଟଣା । ଏମିତି ଦାବି କଲା ଅଭିଯୁକ୍ତ ମନୋଜ । ଅଧିକ ପଢନ୍ତୁ

ମହିଳାଙ୍କୁ କାଟି କୁକର୍‌ରେ ସିଝାଇବା ଘଟଣା
ମହିଳାଙ୍କୁ କାଟି କୁକର୍‌ରେ ସିଝାଇବା ଘଟଣା

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଲିଭ୍ ଇନ ପାର୍ଟନରକୁ ଜଘନ୍ୟ ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ରହିଛି । ୩୨ବର୍ଷୀୟା ମହିଳାଙ୍କୁ କାଟି ଖଣ୍ଡ ଖଣ୍ଡ କରି ପ୍ରେସର କୁକର୍‌ରେ ସିଝାଇବା ଓ କୁକୁରଙ୍କୁ ଖାଇବାକୁ ଦେବା କଥା, ଯିଏ ଶୁଣୁଛି ତା'ର ହୋସ୍ ଉଡିଯାଉଛି । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତ ମନୋଜ ସେନ ଏବେ ପୋଲିସ ହେପାଜତରେ ଅଛି । ତେବେ ଥାନାରେ ଅଭିଯୁକ୍ତ ଜଣକ ଏମିତି କିଛି ବୟାନ ଦେଇଛି, ଯାହା ମାମଲାରେ ନୂଆ ଟ୍ବିଷ୍ଟ ଆଣିଛି । ପ୍ରାଥମିକ ତଦନ୍ତରୁ ମନୋଜ ସରସ୍ବତୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଥିବା ପୋଲିସ କହୁଥିବା ବେଳେ ସେ ସରସ୍ବତୀଙ୍କୁ ମାରି ନାହିଁ, ବରଂ ସରସ୍ବତୀ ନିଜେ ଜୀବନ ହାରିଥିବା(ଆତ୍ମହତ୍ୟା) ଦାବି କରିଛି ଅଭିଯୁକ୍ତ ।

ମୃତ ଶରୀର ବୁଲା କୁକୁରଙ୍କୁ ଖୁଆଇଥିଲା: ପଚରାଉଚରା ସମୟରେ ୫୬ ବର୍ଷୀୟ ଅଭିଯୁକ୍ତ ପୋଲିସକୁ କହିଛି, ଜୁନ ୩ରେ ସରସ୍ବତୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ଏହା ଦେଖି ସେ ଖୁବ୍ ଡରି ଯାଇଥିଲା । ସମସ୍ତେ ତାକୁ ହତ୍ୟାକାରୀ ଭାବିବେ ବୋଲି ସେ ଭୟ କରୁଥିଲା । ତେଣୁ ଏକଥା ଲୁଚାଇବାକୁ ମନୋଜ କଟର ସାହାଯ୍ୟରେ ସରସ୍ବତୀଙ୍କ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରିଥିଲା ଏବଂ ଦୁର୍ଗନ୍ଧ ନହେବା ପାଇଁ ପ୍ରେସର କୁକର୍‌ରେ ସିଝାଇ ଦେଇଥିଲା । ପରେ ନିଜେ ଜୀବନ ହାରିବାକୁ ବି ନିଷ୍ପତ୍ତି ନେଇଥିଲା ବୋଲି ଅଭିଯୁକ୍ତ କହିଛି ।

ଅଭିଯୁକ୍ତର ପଡୋଶୀ କହିଛନ୍ତି ଯେ, କିଛି ଦିନ ହେଲା ମନୋଜ ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ । ଯାହାକି ସେ ପୂର୍ବରୁ କେବେ କରନ୍ତିନି । ତେଣୁ ସେ କୁକୁରଙ୍କୁ ସରସ୍ବତୀଙ୍କ କଟା ଶରୀର ଖାଇବାକୁ ଦେଇଥିବା କୁହାଯାଉଛି ।

ରାସନ ଦୋକାନରୁ ଆରମ୍ଭ ହୋଇଥିଲା ସମ୍ପର୍କ:ମୃତ ସରସ୍ବତୀ ପିଲାଟି ବେଳୁ ବାପାମାଆ ଛେଉଣ୍ଡ ଥିଲେ ଓ ଅନାଥ ଆଶ୍ରମରେ ରହିଆସୁଥିଲେ । ମନୋଜ ସେନ ଏକ ଗ୍ରୋସରୀ ଦୋକାନରେ କାମ କରୁଥିଲା । ସରସ୍ବତୀ ଅନେକ ସମୟରେ ମନୋଜଙ୍କ ଦୋକାନକୁ ଯିବା ଆସିବା କରୁଥିଲେ । ସେହି ଠାରୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ୨୦୧୬ରୁ ଦୁହେଁ ଏକତ୍ର ସହବସ୍ଥାନ କରିଥିଲେ । ୩ ବର୍ଷ ହେଲା ସମାନେ ମୀରା ରୋଡ ସ୍ଥିତ ଫ୍ଲାଟ ନଂ ୭୦୪ରେ ଲିଭ୍ ଇନରେ ରହିଆସୁଥିଲେ ।

ରୋଷେଇ ଘରୁ ବାହାରିଲା ବାଲଟି ବାଲଟି କଟା ଶରୀର:କିଛି ଦିନ ହେଲା ମନୋଜଙ୍କ ଫ୍ଲାଟରୁ ଅତି ଦୁର୍ଗନ୍ଧ ବାହାରିଥିଲା । ମୂଷା ମରି ଏମିତି ଗନ୍ଧାଉଥିବା ପ୍ରଥମେ ପ୍ରଥମେ ପଡୋଶୀ ଭାବିଥିଲେ । ଦୁର୍ଗନ୍ଧ ସମ୍ପର୍କରେ ପଚାରିବାରୁ ମନୋଜ ହଡବଡ ହୋଇଯାଇଥିଲା । ଅସହ୍ୟ ଗନ୍ଧ ବାହାରିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଘରର କବାଟ ଭାଙ୍ଗି ଭିତରେ ପଶିଥିଲା...ଆଉ ଯାହା ଦେଖିଥିଲା ହୋସ୍ ଉଡି ଯାଇଥିଲା । ବେଡ୍ ରୁମରେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଓ ରକ୍ତ ଜୁଡୁବୁଡ କରତ ପଡିଥିଲା । ରୋଷେଇ ଘରେ ପୁଳା ପୁଳା ମଣିଷ ମାଂସ ପଡିଥିଲା । ସିଙ୍କରେ ଅଧା ପୋଡା ହାଡ ଓ ମାଂସ ପଡିଥିବା ବେଳେ ଅନେକ ଗୁଡିଏ ବାଲଟି ଓ ଟବ୍‌ରେ ଭର୍ତ୍ତି ହୋଇ ଥୁଆ ହୋଇଥିଲା ମାଂସ । ଚଟାଣରେ ମହିଳାଙ୍କ କେଶ ପଡିଥିଲା । ସେହିପରି ପ୍ରେସର କୁକର ଭିତରେ ବି କିଛି ମଣିଷ ମାଂସ ସିଝା ହୋଇଥିବା ଦେଖିଥିଲା ପୋଲିସ ।

ଗତ ୪ ତାରିଖରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ସରସ୍ବତୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା କହି ମନୋଜ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି । ଅଧିକ ପଚରାଉଚରା ପରେ ଅସଲ ସତ ପଦାକୁ ଆସିବ । କଟା ଶରୀରରେ କିଛି ଅଂଶ ଫରେନସିକ ଟେଷ୍ଟ ପାଇଁ ଜେଜେ ହସ୍ପିଟାଲ ପଠାଯାଇଛି ।

ABOUT THE AUTHOR

...view details