ମୁମ୍ବାଇ:ସ୍କୁଲ ଶୌଚାଳୟରେ ନାବାଳିକାକୁ ନିର୍ଯ୍ୟାତନା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ସ୍ଥିତ ଶିବାଜୀନଗର ଅଞ୍ଚଳରେ। ସେହି ଅଞ୍ଚଳରେ ଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ 11 ବର୍ଷୀୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଇଛି। ଏହି ଅଭିଯୋଗ ଆଧାରରେ ଶିବାଜୀନଗର ଥାନାରେ ମାମଲା ରୁଜୁ କରିଛି ପୋଲିସ।
ପୋଲିସର ସୂଚନା ଅନୁଯାୟୀ, ଜଙ୍ଗଲି ମହାରାଜ ରୋଡ଼ ସ୍ଥିତ ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ଉକ୍ତ ନାବାଳିକା ଜଣକ ପାଠ ପଢୁଛନ୍ତି। ସବୁଦିନ ଭଳି ଗତ ବୁଧବାର ଦିନ ମଧ୍ୟ ନାବାଳିକା ଜଣକ ସ୍କୁଲ ଯାଇଥିଲେ। ସେଠାରେ ଜଣେ ଅଜଣା ବ୍ୟକ୍ତି ନାବାଳିକୁ ଚିହ୍ନିଥିବା ଅଭିନୟ କରି ତାଙ୍କ ସହ ଯୁକ୍ତତର୍କ କରିଥିଲା। ତାପରେ ସ୍କୁଲ ଶୌଚାଳୟ ଭିତରକୁ ଠେଲି ନେଇ ଶାରିରୀକ ନିର୍ଯ୍ୟାତନା ଦେଇଥିଲା। ଏହା ବିଷୟରେ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲା।