ଜୟପୁର: ରାଜସ୍ଥାନର ଉଦୟପୁରରେ ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ ପରି ଲୋମଟାଙ୍କୁରା ହତ୍ୟାକାଣ୍ଡର ପୁନରାବୃତ୍ତି ଦେଖିବାକୁ ମିଳିଛି । ଜଣେ 8 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଫିଙ୍ଗି ଦେଇଛି ପଡୋଶୀ ଯୁବକ । ଗତକାଲି(ଶନିବାର) ଠାରୁ ନାବାଳିକାର ପରିବାର ନିଖୋଜ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଆଜି ଅପରାହ୍ନରେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ଘଟଣାଟି ଉଦୟପୁରର ମାବଲୀ ଥାନା ଏରିଆରେ ଘଟିଛି ।
ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ, ମାର୍ଚ୍ଚ 28ରେ, 8 ବର୍ଷୀୟ ନାବାଳିକା ଜଣକ ନିଜ ଘର ନିକଟବର୍ତ୍ତୀ କ୍ଷେତକୁ ଯାଇ ଆଉ ଆଉ ଘରକୁ ଫେରିନଥିଲା । ପରିବାର ଓ ଗ୍ରାମବାସୀ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ପରେ ମଧ୍ୟ ନାବାଳିକା ସମ୍ପର୍କରେ କୌଣସି ସୂଚନା ପାଇନଥିଲେ । ପରେ ପରିବାର ସଦସ୍ୟ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ହେଲେ ଆଜି(ରବିବାର) ଘର ନିକଟବର୍ତ୍ତୀ କ୍ଷେତର କିଛି ଦୂରରେ ଭିନ୍ନଭିନ୍ନ ସ୍ଥାନରେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ 10 ଖଣ୍ଡରେ କାଟି ଏଣେ ତେଣେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।