ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Minister for Civil Aviation Jyotiraditya Scindia) ଆଜି ଜାତୀୟ ବାୟୁ କ୍ରୀଡା ନୀତି ୨୦୨୨ (National Aero Sports Policy2022) ର ଶୁଭାରମ୍ଭ କରିଛନ୍ତି । ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ଶ୍ରେଷ୍ଠ ବାୟୁ କ୍ରୀଡା ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେଇ ଏନଏଏସପି ୨୦୨୨ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ମାଧ୍ୟମରେ ଭାରତରେ ଏକ ନିରାପଦ, ଶସ୍ତା, ସୁଲଭ, ଗ୍ରହଣଯୋଗ୍ୟ, ଉପଭୋଗ୍ୟ ଏବଂ ଦୀର୍ଘସ୍ଥାୟୀ ବାୟୁ କ୍ରୀଡା ଇକୋସିଷ୍ଟମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ବାୟୁ କ୍ରୀଡା କ୍ଷେତ୍ରରେ ଏୟାର ରେସିଂ, ଏରୋବେଟିକ୍ସ, ଏରୋ ମଡେଲିଂ, ହ୍ୟାଙ୍ଗ ଗ୍ଲାଇଡିଂ, ପାରାଗ୍ଲାଇଡିଂ, ପାରା ମୋଟରିଂ ଏବଂ ସ୍କାଏ ଡାଇଭିଂ ଆଦି କ୍ରୀଡା ସାମିଲ ରହିଛି । ବାୟୁ କ୍ରୀଡା କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ର ହେବାର ସମ୍ଭାବନା ଭାରତ ନିକଟରେ ରହିଛି । ବିଶାଳ ଭୌଗଳିକ କ୍ଷେତ୍ର, ବିବିଧ ଟୋପୋଗ୍ରାଫୀ ଏବଂ ଭଲ ପାଣିପାଗ ଦେଶରେ ରହିଛି । ଭାରତର ଜନସଂଖ୍ୟାରେ ଯୁବକମାନଙ୍କର ସଂଖ୍ୟା ଅଧିକ । ଦେଶରେ ଦୁଃସାହସିକ କ୍ରୀଡା ଏବଂ ବିମାନ କ୍ଷେତ୍ରର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ରହିଛି ଏବଂ ଦିନକୁ ଦିନ ଏହା ବୃଦ୍ଧି ପାଉଛି ।
ଏହାକୁ ଦୃଷ୍ଟିରେ ରଖି ଏନଏଏସପି ୨୦୨୨ ଅଣାଯାଇଛି । ନୀତି ନିର୍ମାତା, ବାୟୁ କ୍ରୀଡାବିତ ଏବଂ ଜନସାଧାରଣଙ୍କ ଠାରୁ ପ୍ରାପ୍ତ ପରାମର୍ଶ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ନୀତି କାର୍ଯ୍ୟକାରୀ ହେବା ଫଳରେ ଦେଶରେ ଉନ୍ନତ ଭିତ୍ତିଭୂମି, ଉପକରଣ, ସେବା, ପ୍ରଶିକ୍ଷକଙ୍କ ବ୍ୟବସ୍ଥା କରାଯାଇପାରିବ ।
ନୀତିକୁ ଲୋକାର୍ପଣ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ବାୟୁ କ୍ରୀଡା କ୍ଷେତ୍ରରେ ଭାରତକୁ ଉପଯୁକ୍ତ ସ୍ଥାନ ଦେବା ଏବଂ ଏହାକୁ ବିଶ୍ବ ବାୟୁ କ୍ରୀଡା କେନ୍ଦ୍ରରେ ପରିଣତ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ଦେଶରେ ଦୁଃସାହସିକ, ରୋମାଞ୍ଚକର କ୍ରୀଡା ପରିବେଶ ସୃଷ୍ଟି କରିବା ଲାଗି ଆମେ ଚାହୁଁଛୁ । ଏଥିପାଇଁ ଭାରତର ଜନସଂଖ୍ୟାର ୭୦ ପ୍ରତିଶତ ଭାଗ ଅର୍ଥାତ ୩୫ ବର୍ଷରୁ କମ ଯୁବକମାନଙ୍କର ଶକ୍ତିକୁ ଆମେ ଉପଯୋଗ କରିବୁ । ଏହି ଯୁବ ଜନସଂଖ୍ୟା ୟୁରୋପ ମହାଦେଶର ମୋଟ ଜନସଂଖ୍ୟା ଠାରୁ ଅଧିକ ଏବଂ ଆମେରିକାର ମୋଟ ଜନସଂଖ୍ୟା ଠାରୁ ତିନି ଗୁଣା ଅଧିକ ହେବ । ଭାରତର ବିଶାଳ ଭୌଗଳିକ କ୍ଷେତ୍ର ରହିଛି ଯାହାକି ହିମାଳୟରୁ ସାଗର ଉପକୂଳ ପର୍ଯ୍ୟନ୍ତ ବ୍ୟାପୀ ରହିଛି । ବାୟୁ କ୍ରୀଡା କ୍ଷେତ୍ରରେ ଭାରତରେ ବିବିଧ ସାମର୍ଥ୍ୟ ରହିଛି ।
ଏନଏଏସପି ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂଶଲ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ସଞ୍ଜୀବ କୁମାରଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏଏଆଇ, ଡିଜିସିଏ ଏବଂ ବିସିଏଏସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।