ଭୋପାଳ:ମଧ୍ୟପ୍ରଦେଶ ଦତିୟା ଜିଲ୍ଲାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ଦ୍ରୁତଗାମୀ ଟ୍ରକ ନଦୀକୁ ଓଲଟି ପଡିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ମୃତାହତ ବିବାହ ଉତ୍ସବରେ ଯୋଗ ଦେବାକୁ ମିନି ଟ୍ରକରେ ଯାଉଥିଲେ । ବାଟରେ ବୁହାରା ଗାଁ ନିକଟରେ ଥିବା ନିର୍ମାଣଧୀନ ବ୍ରିଜରେ ଭାରସାମ୍ୟ ହରାଇ ଟ୍ରକ ନଦୀକୁ ଓଲଟି ପଡିଛି । ଯାହାଫଳରେ ପୁଣି ଅନେକ ନିରୀହ ଜୀବନ ଚାଲିଯାଇଛି । ଏବେସୁଦ୍ଧା ୩ ଜଣ ଶିଶୁ, ଜଣେ ବୃଦ୍ଧ ମହିଳା ଏବଂ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ, ଟ୍ରକରେ ୫୦ରୁ ଅଧିକ ଲୋକ ଥିଲେ । ସମସ୍ତେ ବିବାହ ଉତ୍ସବରେ ଯୋଗ ଦେବାକୁ ଗ୍ବାଲିୟରର ବିଲହେଟି ଗାଁରୁ ଜତରା ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ବାଟରେ ନିର୍ମାଣଧୀନ ବ୍ରିଜ ଉପରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ସମସ୍ତ ମୃତାହତ କନ୍ୟାପକ୍ଷ ଲୋକ । ବିବାହ ପାଇଁ କନ୍ୟାକୁ ନେଇ ବରଘରକୁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ବିବାହ ଉତ୍ସବର ଖୁସି ନିମିଷକରେ ଶୋକରେ ପରିଣତ ହୋଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତାହତଙ୍କ ସଂଖ୍ୟା ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମୃତଦେହ ଗୁଡିକ ଉଦ୍ଧାର କରାଯିବା ସହ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦତିୟା ଏସପି ପ୍ରଦୀପ ଶର୍ମା ସୂଚନା ଦେଇଛନ୍ତି ।