ଓଡିଶା

odisha

ETV Bharat / bharat

Migrant labourer shot dead: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅଣସ୍ଥାନୀୟ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କୀ

ଘାଟିରେ ପୁଣି ଟାର୍ଗେଟ କିଲିଂ । ଶ୍ରୀନଗରରେ ଉତ୍ତର ପ୍ରଦେଶର ଜଣେ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କୀ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 30, 2023, 4:16 PM IST

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅଣସ୍ଥାନୀୟ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ
କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅଣସ୍ଥାନୀୟ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ

ଶ୍ରୀନଗର:କିଛି ଦିନର ବ୍ୟବଧାନରେ ପୁଣି କାଶ୍ମୀରରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ । ଗତକାଲି ଜଣେ ପୋଲିସ କର୍ମୀଙ୍କୁ ଗୁଳି କରିଥିଲେ ଆତଙ୍କୀ । ଆଜି ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଜଣେ ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କୀବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ପ୍ରାଣ ହରାଇଥିବା ଶ୍ରମିକଙ୍କ ନାମ ମୁକେଶ ଓ ସେ ଉତ୍ତର ପ୍ରଦେଶର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି । ଗତ କିଛି ମାସ ହେବ ସେ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ପାଇ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଦକ୍ଷିଣ କାଶ୍ମୀରର ପୁଲଓ୍ବାମାର ନାଓଁପୁରା ଏରିଆରେ ଏହି ହତ୍ୟାକାଣ୍ଡ ଘଟିଛି । ମୁକେଶଙ୍କୁ ଅଜଣା ଆତଙ୍କବାଦୀ ଗୁଳି ଚଳାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲକୁ ନେଉଥିବା ବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଗତକାଲି (ରବିବାର) ଶ୍ରୀନଗର ଇଦଗାହ ଏରିଆରେ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ ଆତଙ୍କବାଦୀ । ସବ ଇନ୍ସପେକ୍ଟର ମନସୁର ଅହମ୍ମଦ ପୋଲିସ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ବେଳେ ଅଜଣା ଆତଙ୍କବାଦୀ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଚିକିତ୍ସାଧୀନ ରହିଛନ୍ତି । ଗତକାଲି ମଧ୍ୟ ଏହି ଘଟଣା ପରେ ଶ୍ରୀନଗରେ ପୋଲିସ ଓ ସୁରକ୍ଷା ବଳ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା । ମାତ୍ର ତାର 24 ଘଣ୍ଟା ନପୂରୁଣୁ ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Telangana: BRS ସାଂସଦଙ୍କୁ ହତ୍ୟା ଉଦ୍ୟମ, ପ୍ରଚାର ବେଳେ ଛୁରାମାଡ

କିଛି ମାସ ପୂର୍ବରୁ ଘାଟିରେ ଏକାଧିକ ଟାର୍ଗେଟ କିଲିଂ ଘଟଣାକୁ ରୂପ ଦେଇଥିଲେ ଆତଙ୍କୀ । ବାହାର ରାଜ୍ୟରୁ ଯାଇ ଘାଟିରେ ଶ୍ରମିକ ଭାବେ କାର୍ଯ୍ୟ କୁରଥିବା ବ୍ୟକ୍ତି ଓ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟକୁ ଏଥିରେ ଟାର୍ଗେଟ କରାଯାଇଥିଲା । ଏକାଧିକ ହତ୍ୟାକାଣ୍ଡ ପରେ କାଶ୍ମୀର ପଣ୍ଡିତମାନେ ରାସ୍ତାକୁ ଓହ୍ଲାଇ ସୁରକ୍ଷା ଦାବି କରିଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘାଟିରେ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ କରିଥିଲେ । ପୁଣି ଏବେ କିଛି ଦିନର ବ୍ୟବଧାନ ପରେ ଘାଟିରେ ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details