ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ବିଭ୍ରାଟ ଘଟଣାରେ SIT ଗଠନ ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅନୁରୋଧ କ୍ରମେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଗୃହ ମନ୍ତ୍ରଣାଳୟ ଟ୍ବିଟ କରି ସ୍ପଷ୍ଟ କରିଛି । ସିଆରପିଏଫ ମହାନିର୍ଦ୍ଦେଶକ ଅନିଶ ଦୟାଲ ସିଂଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଦିଲ୍ଲୀ ପୋଲିସ ସମେତ ଏକାଧିକ ସୁରକ୍ଷା ଏଜେନ୍ସିର ଶୀର୍ଷ ଅଧିକାରୀ ସଦସ୍ୟ ରହିଛନ୍ତି । ଏହି କମିଟି ଘଟଣାର ତଦନ୍ତ ଶେଷ କରି ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କରିବ ।
ଆଜି ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ଏବେ 5 ଅଭିଯୁକ୍ତ ଗିରଫ ସହ ଏଥିରେ 6 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଏବେ ସୁଦ୍ଧା ଏହି ଘଟଣାରେ 5 ଜଣ ଅଭିଯୁକ୍ତ ଗିରଫ ହୋଇସାରିଲେଣି । ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ଏହି ପାସ ସେମାନଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟରୁ ମିଳିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ମହୀଶୂରର ଯୁବକ ମଧ୍ୟ ରହିଛନ୍ତି ।