ନୂଆଦିଲ୍ଲୀ:ଆଫ୍ରିକାର କିଛି ଦେଶରେ କୋଭିଡ-19 ନୂଆ ପ୍ରଜାତି B.1.1529 ବା (Omicron) ଚିହ୍ନଟ ହେବା ପରେ ସାରା ବିଶ୍ବରେ ପୁଣି ମୁକାବିଲା ରଣନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁ ସବୁ କ୍ଷେତ୍ରରେ ପୂର୍ବ କଟକଣା ସାମାନ୍ୟ କୋହଳ କରାଯାଇଥିଲା ଏବେ ସେ ସମସ୍ତ କ୍ଷେତ୍ରରେ ପୁଣି ଥରେ କଟକଣା କଡାକଡି କରିବା ସହ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର ।
ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଆଜି (ମଙ୍ଗଳବାର) ପୂର୍ବରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନ(covid guideline)ର ଅବଧିକୁ ବୃଦ୍ଧି କରିଛି । ପୂର୍ବରୁ ଜାରି ରହିଥିବା ସର୍ତ୍ତାବଳୀ ଆସନ୍ତାମାସ ଅର୍ଥାତ ଡିସେମ୍ବର 31 ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପୂର୍ବ ଗାଇଡଲାଇନକୁ କଡାକଡି ଅନୁପାଳନ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।