ନୂଆଦିଲ୍ଲୀ:କେନ୍ଦ୍ରୀୟ ସଶସ୍ତ୍ର ବଳ (CAPF)ର କନେଷ୍ଟବଳ (General duty) ଚୟନ ପାଇଁ ହେଉଥିବା ପରୀକ୍ଷା ଏବେ 13ଟି ଆଞ୍ଚଳିକ ଭାଷାରେ ହେବ । ଆସନ୍ତାବର୍ଷ (2024) ଠାରୁ ଏହି ନିୟମ ଲାଗୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବରୁ ଏହି ପରୀକ୍ଷା କେବଳ ହିନ୍ଦୀ ଓ ଇଂରାଜୀରେ ହେଉଥିଲା । ଏହି ନୂଆ ନିୟମ ଅନୁସାରେ, ଆଶାୟୀ ପ୍ରାର୍ଥୀମାନେ ଏବେ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ପରୀକ୍ଷା ଦେଇପାରିବେ । ଏହି ତାଲିକାରେ ସ୍ଥାନ ପାଇଥିବା ଭାଷାଗୁଡିକ ମଧ୍ୟରେ ଆସାମୀ,ବେଙ୍ଗଲୀ, ଗୁଜୁରାଟୀ, ମାରାଠୀ, ତାମିଲ, ମଲାୟାଲମ, କାନାଡା,ତେଲଗୁ, ଓଡିଆ, ଉର୍ଦ୍ଧୁ, ପଞ୍ଜାବୀ, ମଣିପୁରୀ ଓ କୋନକାନୀ ଭାଷା ରହିଛି ।
ଏହି ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି, ଏପରି ନିଷ୍ପତ୍ତି ଫଳରେ ଉପାନ୍ତ ଅଞ୍ଚଳର ଯୁବକଙ୍କ ମଧ୍ୟରେ କେନ୍ଦ୍ରୀୟ ଫୋର୍ସରେ ଭର୍ତ୍ତି ହେବାର ଆଗ୍ରହ ବଢିବା ସହ ସେମାନଙ୍କ ପାଇଁ ଏହା ଏକ ଅବସର ସୃଷ୍ଟି କରିପାରିବ । ପୂର୍ବରୁ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା କରାଯାଉଥିବା ବେଳେ ଏଥିରେ ବହୁ ଗ୍ରାମୀଣ ତଥା ଉପାନ୍ତ ଏରିଆର ଆଶାୟୀ ପ୍ରାର୍ଥୀ ବାଦ ପଡୁଥିଲେ । ଏବେ ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ଉପାନ୍ତ ଅଞ୍ଚଳର ଯୁବକ ଯୁବତୀମାନେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ ।