ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ପ୍ରଥମେ ପତ୍ନୀଙ୍କ ସମେତ ନିଜର ୨ ପିଲାଙ୍କୁ ହତ୍ୟା ଉଦ୍ୟମ ପରେ ଜୀବନ ହାରିଛି ଅଭିଯୁକ୍ତ । ଛୁରୀରେ ଆକ୍ରମଣ କାରଣରୁ ପତ୍ନୀ ଅନୁରାଧା ଏବଂ ୬ ବର୍ଷୀୟା ଝିଅ ଅଦିତିର ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ସୁଶିଲ କୁମାର ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ପତ୍ନୀ ଓ ପିଲାଙ୍କୁ ପ୍ରଥମେ ଲହୁଲୁହାଣ କରିବା ପରେ ଜୀବନ ହାରିଛି ଅଭିଯୁକ୍ତ କରିଛି । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି ସୁଶିଲର ୧୩ବର୍ଷୀୟ ପୁଅ ୟୁଭରାଜ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳ ସ୍ଥିତ ଶାହଦରା ଜିଲ୍ଲାରେ ଥିବା ଜ୍ୟୋତି କଲୋନିରେ ।
ସୂଚନା ଅନୁସାରେ, ସୁଶିଲ ଦିଲ୍ଲୀ ମେଟ୍ରୋରେ ପୂର୍ବ ବିନୋଦ ନଗରରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ । ଶାହଦରା ଡିସିପି ରୋହିତ ମିନା ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ମଙ୍ଗଳବାର ପ୍ରାୟ ୧୨ଟା ସମୟରେ ଜଣେ ମେଟ୍ରୋ କର୍ମଚାରୀ ଫୋନ ଯୋଗେ ତାଙ୍କ ସହକର୍ମୀ ସୁଶିଲ ଆସିନଥିବା କଥା ଜଣାଇଥିଲେ । ଖବର ପାଇବା ପରେ ସୁଶିଲଙ୍କ ଅନୁପସ୍ଥିତି ପଛର କାରଣ ଜାଣିବା ପାଇଁ ତାଙ୍କୁ ଯୋଗାଯୋଗ କରିବାରୁ ସେ ଖୁବ କାନ୍ଦୁଥିବା ଜଣାପଡିଥିଲା । ପରିବାରର ସମସ୍ତ ସଦସ୍ୟଙ୍କ ହତ୍ୟା କରିଥିବା ନେଇ ଫୋନ୍ ଯୋଗେ କାନ୍ଦି କାନ୍ଦି ସ୍ବୀକାର କରିଥିଲା ଅଭିଯୁକ୍ତ ସୁଶିଲ । ଏଭଳି ଖବର ପାଇବା ପରେ ଶାହଦରା ଜିଲ୍ଲା ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳେ ପହଞ୍ଚି ତନାଘନା କରିଥିଲେ ।