ଓଡିଶା

odisha

ETV Bharat / bharat

ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲି ଏବଂ ଆପଣମାନେ ମଧ୍ୟ: ଚନ୍ଦ୍ରଯାନ-3 - ଚନ୍ଦ୍ରରୁ ଆସିଲା ମେସେଜ

ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରିସାରିଛି ଚନ୍ଦ୍ରଯାନ-3। ଏହାପରେ ଭାରତକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ନେଇ ମେସେଜ ପଠାିଛି ଲ୍ୟାଣ୍ଡର ବିକ୍ରମ। କ'ଣ ରହିଛି ସେହି ମେସେଜ, ଅଧିକ ପଢନ୍ତୁ

ସଫଳତା ପୂର୍ବକ ଲ୍ୟାଣ୍ଡିଂ ପରେ ଆସିଲା ମେସେଜ
ସଫଳତା ପୂର୍ବକ ଲ୍ୟାଣ୍ଡିଂ ପରେ ଆସିଲା ମେସେଜ

By ETV Bharat Odisha Team

Published : Aug 23, 2023, 7:20 PM IST

ହାଇଦ୍ରାବାଦ: ଲ୍ୟାଣ୍ଡର ବିକ୍ରମ ଦେଲା ଲ୍ୟାଣ୍ଡିଂ ମେସେଜ । "I reached my destination and you too !" ଅର୍ଥାତ୍, "ଭାରତ...ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲି ଏବଂ ଆପଣମାନେ ମଧ୍ୟ....।" ଏମିତି କିଛି ମେସେଜ୍‌ ଆସିଛି । ଇସ୍ରୋର ଟ୍ବିଟର ହ୍ୟାଣ୍ଡେଲରେ ଏଭଳି କିଛି ମେସେଜ୍‌ ଦେଖିବାକୁ ମିଳିଛି । ଏହି ଟ୍ବିଟ୍ କରି ଇସ୍ରୋ ଭାରତବର୍ଷକୁ ଶୁଭେଚ୍ଛା ଜଣାଇଛି । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରି ସାରିଛି ଚନ୍ଦ୍ରଯାନ-3 । ଚନ୍ଦ୍ରପୃଷ୍ଠରେ ଇତିହାସ ରଚିଛି ଭାରତ । 4 ବର୍ଷ ତଳେ ସଫଳତାର ଅତି ନିକଟରେ ପହଞ୍ଚିଥିଲେ ସୁଦ୍ଧା ଫେଲ୍ ମାରିଥିଲା ଭାରତ । ଯେଉଁଥିରୁ ଇସ୍ରୋକୁ ବହୁତ କିଛି ଶିକ୍ଷା ମିଳିଥିଲା । ସମସ୍ତ ତ୍ରୁଟିକୁ ସୁଧାରିବା ପରେ ପୁନର୍ବାର ପ୍ରୟାସ ଆରମ୍ଭ କରିଥିଲା ଇସ୍ରୋ । ଆଉ ଶେଷରେ ଭାରତ ସଫଳତାର ଶୀର୍ଷରେ ପହଞ୍ଚି ଜହ୍ନରେ ନାଁ ଲେଖିଛି । ସେପଟେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ନାସା (NASA) ଆଡମିନଷ୍ଟ୍ରେଟର ବିଲ୍ ନେଲସନ୍‌ ।

ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ଅବତରଣ କରାଇପାରିଛି ଇସ୍ରୋ । ସେପଟେ ଆଜି ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପରେ ଦକ୍ଷିଣ ଆଫ୍ରିକାରୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ସେ ସେଠାରେ ଭାରତ ଇତିହାସର ଏହି ବିରଳ ମୁହୂର୍ତ୍ତକୁ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ସମୟ ହେଉଛି ବିଜୟର ମାର୍ଗରେ ଚାଲିବାର ସମୟ । ଚନ୍ଦ୍ରଯାନ ସଫଳ ହେବା ପରେ 140 କୋଟି ଲୋକ ଉତ୍ସବ ପାଳନ କରୁଛନ୍ତି । ଏଥିପାଇଁ ମୁଁ ଚନ୍ଦ୍ରଯାନ-3ର ଟିମ୍ ଓ ଦେଶର ବୈଜ୍ଞାନିକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।"

ଏହା ବି ପଢନ୍ତୁ...Lander Vikram Touches Down on the Moon: କେମିତି ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ ? ଦେଖନ୍ତୁ

ଆଜି ଦିନ ତମାମ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ଅନେକ ସ୍ଥାନରେ ହୋମ ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା । ଏନେଇ ଦେଶବ୍ୟାପୀ ସମସ୍ତ ସମ୍ପ୍ରଦାୟର ଲୋକେ ସଫଳତା କାମନା କରି ପୂଜା କରିଥିବା ବେଳେ ରାଜ୍ୟରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିରଠୁ ଆରମ୍ଭ କରି ସ୍କୁଲ ସବୁଠି ହୋମ ଯଜ୍ଞ ସହ ଭଗବାନଙ୍କ ପୂଜା କରିଥିଲେ ରାଜଧାନୀବାସୀ । ଏପରିକି ବିନା କୌଣସି ପର୍ବରେ ମଧ୍ୟ ଆଜି ପର୍ବପର୍ବାଣୀର ଅନୁଭବ ହୋଇଥିଲା । ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।

ଆଉ ଶେଷରେ ସମସ୍ତଙ୍କ ଆଶା ପୂରଣ ହୋଇଛି । ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପ୍ରକ୍ରିୟା 4ଟି ପର୍ଯ୍ଯାୟରେ ହୋଇଛି । ଅବତରଣ ପ୍ରକ୍ରିୟାର ସିଧାପ୍ରସାରଣ ହୋଇଥିଲା । ସମସ୍ତେ ଅତ୍ୟନ୍ତ ଉତ୍କଣ୍ଠାର ସହ ଇତିହାସର ଏହି ବିରଳ ମୂହୁର୍ତ୍ତକୁ ଦେଖିଛନ୍ତି । ଆଉ ଦେଶକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା । ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ନେଇ ବାର୍ତ୍ତା ପଠାଇଛି ଲ୍ୟାଣ୍ଡର ବିକ୍ରମ ।

ABOUT THE AUTHOR

...view details