ରାୟପୁର:ସରକାରୀ ଚାକିରି ପାଇବା ପାଇଁ ବ୍ୟବହାର ହୋଇଛି ନକଲି ଜାତିଗତ ପ୍ରମାଣପତ୍ର । ଏପରି ଏକ ଅଭିଯୋଗ କରି ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ଉଲଗ୍ନ ପ୍ରତିବାଦ କରିଛନ୍ତି । ଆଶାୟୀଙ୍କ ଏକ ଗୋଷ୍ଠୀ ଉଲଗ୍ନ ହୋଇ ହାତରେ ପ୍ଲାକାର୍ଡ ଧରି ରାଜଧାନୀ ରାୟପୁରରେ ବିଧାନସଭା ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଏହି ସମୟରେ ପୋଲିସ ସେମାନଙ୍କୁ ବାଧା ଦେବା ସହ ଗିରଫ କରି ଥାନାକୁ ନେଇଥିବା ସୂଚନା ମିଳିଛି । ପ୍ରାୟ 29 ଜଣ ବିକ୍ଷୋଭକାରୀଙ୍କୁ ପୋଲିସ ବିଧାନସଭା ନିକଟରୁ ଉଠାଇ ନେଇଛି ।
ସୂଚନା ଅନୁସାରେ, ବିକ୍ଷୋଭକାରୀଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଥିଲେ । ଚାକିରି ପାଇବା ପାଇଁ ନକଲି ଜାତିଗତ ପ୍ରମାଣପତ୍ର ବ୍ୟବହାର କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ହାତରେ ପ୍ଲାକାର୍ଡ ଧରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବିଧାନସଭା ଘେରାଉ କରିବାକୁ ବାହାରିଥିଲେ । ଗତକାଲି(ମଙ୍ଗଳବାର) ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରତିବାଦକାରୀଙ୍କ ଗୋଷ୍ଠୀ ବିଧାନସଭା ଆଡକୁ ଅଗ୍ରସର ହେବା ସମୟରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । 29 ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇ ନିକଟସ୍ଥ ଥାନାରେ ରଖିଥିବା ସୂଚନା ମିଳିଛି ।
ରାୟପୁରର ବରିଷ୍ଠ ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ‘ଅଶ୍ଳୀଳତା ପ୍ରଦର୍ଶନ ଅଭିଯୋଗରେ 29 ଜଣ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି । କୌଣସି ପ୍ରସଙ୍ଗରେ ଆପତ୍ତି ଅଭିଯୋଗ ଥିଲେ ସୁଦ୍ଧା ସର୍ବସାଧାରଣରେ ଏପରି ଅଶ୍ଳୀଳତା ପ୍ରଦର୍ଶନ କରିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା 146 (ଦଙ୍ଗା), 294 (ଅଶ୍ଳୀଳତା ପ୍ରଦର୍ଶନ ) ଏବଂ 353 (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧାଦେବା ବା ଆକ୍ରମଣ କରିବା ) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।’