ନୂଆଦିଲ୍ଲୀ:ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ ଡୋମିନିକା ସରକାରଙ୍କ ସଙ୍ଗରୋଧ ବ୍ୟବସ୍ଥାରେ ରହିଛନ୍ତି । ତେବେ ଏ ସମ୍ପର୍କରେ ରବିବାର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ହୀରା କାରବାରରେ ହେରଫେର ପାଇଁ ଚୋକସିଙ୍କୁ ଡୋମିନିକା ଜେଲରେ ରଖାଯାଇଥିଲା ।
ଗତ ଶନିବାର ଡୋମିନିକା ଜେଲରେ ଥିବା ସମୟରେ ତାଙ୍କର ପ୍ରଥମ ଫଟୋ ସାମନାକୁ ଆସିଥିଲା । ଯେଉଁଥିରେ ସେ ଜେଲରେ ତାଲା ଭିତରେ ଥିବା ଦେଖିବାକୁ ମିଳିଥିଲା । ତାଙ୍କ ହାତରେ ଆଘାତ ଲାଗିବା ସହିତ ଆଖି ଲାଲ୍ ପଡିଯାଇଥିବା ଫଟୋ ଗୁଡ଼ିକ ଦେଖିବାକୁ ମିଳିଥିଲା । ଏହି ଫଟୋଗୁଡ଼ିକୁ ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ପୋଷ୍ଟ କରାଯାଇଥିଲା । ଅନ୍ୟପଟେ ମେହୁଲଙ୍କ ତରଫରୁ ତାଙ୍କୁ ଡୋମିନିକା ଜେଲରେ ମାଡ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଚୋକସି ମେ 23 ତାରିଖ ସନ୍ଧ୍ୟାଠାରୁ ନିଖୋଜ ଥିଲେ । ପରେ ଡୋମିନିକା ପୋଲିସ ତାଙ୍କୁ ଗିରଫ କରିଥିଲା । ସେପଟେ ପଳାତକ ହୀରା ବ୍ୟବସାୟୀଙ୍କୁ ଭାରତ ଆଣିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ସୂଚନା ଥାଉ କି ଚୋକସିଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ 13 ହଜାର 500କୋଟି ଟଙ୍କାର ଋଣ ଜାଲିଆତି ମାମଲା ରହିଛି । ଚୋକସି ଓ ତାଙ୍କ ଭଣଜା ନୀରବ ମୋଦି ମିଳିତ ଭାବେ ଏହି ଜାଲିଆତି କରିଛନ୍ତି । ଚୋକସି 2017ରେ ଆଣ୍ଟିଗୁଆ ଓ ବାରମୁଡାର ନାଗରିକତା ଗ୍ରହଣ କରିବା ପରେ 2018 ଜାନୁଆରୀରେ ଭାରତ ଛାଡି ଫେରାର ହୋଇଯାଇଥିଲେ ।
ଚୋକସି ଭାରତର ମୂଳ ନାଗରିକ ହୋଇଥିବା ବେଳେ ସେ ଜାଲିଆତି ମାମଲାକୁ ନେଇ ଭାରତୀୟ କାର୍ଯ୍ୟାନୁଷ୍ଠାନ ରକ୍ଷା ପାଇବା ପାଇଁ ଭାରତରୁ ଫେରାର ହୋଇଥିବା ସମ୍ପର୍କରେ ଡୋମିନିକା ସରକାରଙ୍କୁ ସୂଚନା ଦେଇଛନ୍ତି । ଚୋକସିଙ୍କୁ ଭାରତ ଆଣିବା ପାଇଁ ସରକାର ଡୋମିନିକାକୁ ଏକ ଘରୋଇ ଜେଟ ପଠାଇଥିବା ଜଣାପଡିଛି ।
@ANI