ଶ୍ରୀନଗର:ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ସ ପାର୍ଟି ସୁପ୍ରିମୋ ମେହେବୁବା ମୁଫତି ନିଜ ମା‘ ଓ ଝିଅଙ୍କୁ ନେଇ ମକ୍କା ଯିବାକୁ ଚାହୁଁଛନ୍ତି । ଏଥିପାଇଁ ଆବଶ୍ୟକ ହେଉଥିବା ପାସପୋର୍ଟ ନବୀକରଣ ହୋଇପାରୁନାହିଁ । ଫଳରେ ସେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହଯୋଗ ଲୋଡିଛନ୍ତି । ଏନେଇ ମୁଫତି ଜୟଶଙ୍କରଙ୍କୁ ଏକ ଚିଠି ମଧ୍ୟ ଲେଖି ଅବଗତ କରିଛନ୍ତି ।
ତେବେ ଏହା ତାଙ୍କର ପ୍ରଥମ ଆବେଦନ ନୁହେଁ ବରଂ ପୂର୍ବରୁ ସେ ପାସପୋର୍ଟର ନବୀକରଣ ପାଇଁ ଆବେଦନ ମଧ୍ୟ କରିସାରିଛନ୍ତି । ଜାତୀୟ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଯାଇ ଦୀର୍ଘ 3 ବର୍ଷ ହେବ ପାସପୋର୍ଟ ନବୀକରଣ କରିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି ମୁଫତି ।
ଚିଠିରେ ମୁଫତି ଲେଖଛନ୍ତି, ‘‘ଗତ ତିନି ବର୍ଷ ହେବ ପାସପୋର୍ଟ ମିଳିବାରେ ବିଳମ୍ବ ହେବାରେ ଲାଗିଛି । ମୁଁ ଓ ମୋର ମା’ 2020 ମସିହାରେ ପାସପୋର୍ଟ ନବୀକରଣ ପାଇଁ ଆବେଦନ କରିଥିଲୁ । ତେବେ ଜାତୀୟ ସୁରକ୍ଷା ଦୃଷ୍ଚିରୁ ମତେ ଓ ମୋର 80 ବର୍ଷୀୟା ମା’ଙ୍କୁ ପାସପୋର୍ଟ ପ୍ରଦାନ କରିବାରେ ସମସ୍ୟା ଥିବା କାଶ୍ମୀର ସିଆଇଡି ବିଭାଗ ପକ୍ଷକୁ କୁହାଯାଇଥିଲା । ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ଅପବ୍ୟବହାର କରି ହଜାର ହଜାର ଛାତ୍ରଛାତ୍ରୀ, ସାମ୍ବାଦିକ ଓ ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ବିଦେଶ ଯାତ୍ରାରୁ ରୋକାଯିବା କାଶ୍ମୀରରେ ଏକ ଧାରାରେ ପରିଣତ ହୋଇସାରିଲେଣି ।’’