ଶ୍ରୀନଗର:ଆତଙ୍କବାଦୀ ପାଣ୍ଠି ସଂଗ୍ରହରେ ସମ୍ପୃକ୍ତି ଅଭିଯୋଗରେ କାଶ୍ମୀରର ଯୁବ ସାମ୍ବାଦିକ ଇରଫାନ ମେହେରାଜଙ୍କୁ ଗିରଫ କରାଯିବା ଘଟଣାରେ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସୁପ୍ରିମୋ ମେହବୁବା ମୁଫତି ଗତକାଲି (ମଙ୍ଗଳବାର) ମୋଦି ସରକାରକୁ ସମାଲୋଚନା କରିଛନ୍ତି ।
ମୁଫତି କହିଛନ୍ତି, ଗୁଜୁରାଟର କିରଣ ଭାଇ ପଟେଲଙ୍କୁ କାଶ୍ମୀରରେ ପ୍ରଶାସନ ଦ୍ବାରା ଜେଡ ପ୍ଲସ୍ ସୁରକ୍ଷା ଏବଂ ସରକାରୀ ପ୍ରୋଟୋକଲ୍ ଯୋଗାଇ ଦିଆଯାଉଛି । ସେହି ସମୟରେ ଇରଫାନ୍ ମେହେରାଜଙ୍କ ପରି ସାମ୍ବାଦିକମାନେ ସତ୍ୟ କହିବା ଫଳରେ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି । ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA)କୁ ବାରମ୍ବାର ଦୂରୁପୋଯୋଗ କରାଯାଉଛି ।
ଗତକାଲି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏହି ଯୁବ ସାମ୍ବାଦିକଙ୍କୁ ଗିରଫ କରିଛି । ଗତକାଲି (ମଙ୍ଗଳବାର) ଇରଫାନଙ୍କୁ ତାଙ୍କ ଶ୍ରୀନଗର ସ୍ଥିତ ଘରୁ ତାଙ୍କୁ ଗିରଫ କରି ନୂଆଦିଲ୍ଲୀକୁ ସ୍ଥାନାନ୍ତର କରିଛି NIA । ରିପୋର୍ଟରେ କୁହାଯାଇଛି ଯେ NIA ରେ ପଞ୍ଜୀକୃତ FIR ନମ୍ବର RC-37/2020 ମାମଲାରେ ଇରଫାନଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA) ଅଧୀନରେ ଗିରଫ କରାଯାଇଛି ।