ଶିଲଂ:ମେଘାଳୟରେ ଗଠନ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଦଳ NPP ନେତୃତ୍ବାଧୀନ ସରକାର । ମଙ୍ଗଳବାର (୭ ତାରିଖ) ଏହି ମେଣ୍ଟ ସରକାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନପିପି ବିଧାୟକ ପ୍ରଷ୍ଟୋନ ତାଇସଙ୍ଗ (Prestone Tynsong) ଆଜି ଏନେଇ ସୂଚନା ଦେଇଛନ୍ତି । ରାଜଧାନୀ ଶିଲଂରେ ମଙ୍ଗଳବାର ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି ।
ମଳିଥିବା ସୂଚନା ଅନୁସାରେ ଦଳ ମୁଖ୍ୟ କନରାଡ ସାଙ୍ଗମା ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅନ୍ୟ ଏକ ସୂଚନା ଅନୁସାରେ ଏହି ଶପଥ ଗ୍ରହଣ ସମରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅତିଥି ଭାବେ ଯୋଗଦାନ କରୁଛନ୍ତି । ଉତ୍ତର-ପୂର୍ବ ଡେମାକ୍ରାଟିକ୍ସ ଆଲିଆନ୍ସର (NEDA) ଆବାହକ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଅଂଶଗ୍ରହଣ ପାଇଁ ଶିଲଂ ପହଞ୍ଚିବେ ।
ସରକାର ଗଠନ ସମ୍ପର୍କରେ ପ୍ରଷ୍ଟୋନ ତାଇସଙ୍ଗ କହିଛନ୍ତି, ‘‘ସରକାର ଗଠନ କରିବାକୁ ହେଉଥିବା ସଂଖ୍ୟା ଠାରୁ ଆମ ପାଖରେ ଯଥେଷ୍ଟ ସଂଖ୍ୟା ରହିଛି । ଅନ୍ୟ ରାଜନୈତିକ ଦଳଙ୍କ ସହ ଆମେ ଯୋଗାଯୋଗରେ ମଧ୍ୟ ଅଛୁ । ସମର୍ଥିତ ବିଧାୟକଙ୍କ ସଂଖ୍ୟା ପ୍ରାୟ ୩୮-୪୦ ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶା କରାଯାଉଛି । ବିଜେପି ବ୍ୟତୀତ HSPDP ର ଦୁଇ ବିଧାୟକ ଓ ୨ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବର୍ତ୍ତମାନ ସଂଖ୍ୟା ୩୨ ରେ ପହଞ୍ଚିଛି । ଏପରି ସମୟରେ ସରକାର ଗଠନ କରିବାରେ କୌଣସି ସମସ୍ୟା ନାହିଁ ।’’