ସିଲଂ: ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ସ୍ଥିତ ଏକ ଫାର୍ମହାଉସରେ ସେକ୍ସ ରାକେଟ ଚାଲୁଥିବାବେଳେ ଅତର୍କିତ ଚଢାଉ କରିଛି ପୋଲିସ । ଫାର୍ମହାଉସରୁ ୫ ଜଣ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ୭୩ ଜଣ ଗିରଫ ହୋଇଛନ୍ତି । ଚଢାଉ ସମୟରେ ଘଟଣାସ୍ଥଳରୁ ୪୦୦ ମଦ ବୋତଲ ଏବଂ ୫୦୦ରୁ ଅଧିକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏଥିରେ ବଡ କଥା ହେଉଛି, ଏହି ସେକ୍ସ ରାକେଟ ଜଣେ ବରିଷ୍ଠ ବିଜେପି ନେତା ଚଳାଉଥିବା ଅଭିଯୋଗ ହୋଇଛି । ମେଘାଳୟର ରାଜ୍ୟ ବିଜେପି ଉପସଭାପତି ବର୍ନାଡ ଏନ ମାରାକଙ୍କ ମାଲିକାନାରେ ଏହି ଫାର୍ମହାଉସ ଥିବା ଜଣାପଡିଛି । ଯାହା ଏବେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
ପୋଲିସ ସୂଚନା ଅନୁସାରେ, ବିଜେପି ନେତା ବର୍ନାଡ ଏନ ମାରାକଙ୍କ ମାଲିକାଧୀନ ରିମ୍ପୁ ବାଗାନ ଫାର୍ମହାଉସରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୋଲିସ ଶନିବାର ଦିନ ୩୦ କୋଠରୀ ବିଶିଷ୍ଟ ଫାର୍ମହାଉସରେ ଛାପା ମାରିଥିଲା । ସେଠାରେ କିଛି ଯୁବକ ଯୁବତୀ ଖୋଲାଖୋଲି ମଦ ପିଇବା ସହ କେତେକ ଆପତ୍ତିଜନକ ଅବସ୍ଥାରେ ନଜର ଆସିଥିଲେ । ଚଢାଉ ସମୟରେ ପୋଲିସ ଗୋଟିଏ ବନ୍ଦ କୋଠରୀ ମଧ୍ୟରୁ ଜଣେ ନାବାଳିକା ସମେତ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲା ।