ନୂଆଦିଲ୍ଲୀ:ଗତକାଲି (ମଙ୍ଗଳବାର) ବ୍ରିକ୍ସ ରାଷ୍ଟ୍ର ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲରେ ହୋଇଥିବା ବୈଠକ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଳମ୍ବିତ ରାତ୍ରିରେ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜନୈତିକ, ଅର୍ଥନୈତିକ, ଆଞ୍ଚଳିକ ସୁରକ୍ଷା ସମ୍ବନ୍ଧରେ ମତ ଆଦାନ ପ୍ରଦାନ ପାଇଁ ସହମତି ହୋଇଥିଲା । ଏହାବାଦ ବୈଠକରେ ଆଫଗାନିସ୍ତାନ, ଇରାନ, ପଶ୍ଚିମ ଏସିଆ ଓ ଉପସାଗରୀୟ ଦେଶର ବର୍ତ୍ତମାନ ଭବିଷ୍ୟତ ବିକାଶ ଓ ସାଇବାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଡୋଭାଲ ଭାରତର ଆଭିମୁଖ୍ୟ ରଖି ସୀମା ପାର ଆତଙ୍କବାଦ, ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କୀ ସଂଗଠନର କାର୍ଯ୍ୟକଳାପ ପ୍ରସଙ୍ଗ ଉଠାଇଥିଲେ । ଏହି ଆତଙ୍କୀ ସଂଗଠନ କିଭଳି ମାନବ ଜାତି ପାଇଁ ବିପଦ ତାହାର ବିସ୍ତୃତ ତଥ୍ୟ ସେ ରଖିଥିଲେ । ଆତଙ୍କବାଦୀ ସମସ୍ୟା ଖାଲି ଭାରତ କି କିଛି ସୀମିତ ଦେଶ ପାଇଁ ବିପଦ ନୁହେଁ ବଂର ସମଗ୍ର ବିଶ୍ବ ପାଇଁ ବିପଦ କହିଥିଲେ ଡୋଭାଲ । ଆତଙ୍କବାଦ ଗତିବିଦ୍ଧି ବନ୍ଦ କରିବା ପାଇଁ ‘ବ୍ରିକ୍ସ କାଉଣ୍ଟର ଟେରରିଜମ ଆକ୍ସନ ପ୍ଲାନ’ ଯୋଜନା ଆପଣାଇବାକୁ ସହମତି ପ୍ରକାଶ ପାଇଥିଲା । ଏହାର ଉଦ୍ଦେଶ୍ୟ କେବଳ ଆତଙ୍କବାଦୀ ଦମନ ଓ ମିଳୁଥିବା ଅର୍ଥକୁ ବନ୍ଦ କରିବା ।