ଜୟପୁର:ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଅନ୍ୟ ରାଜ୍ୟରୁ ରାଜସ୍ଥାନ ଆସୁଥିବା ଯାତ୍ରୀଙ୍କ ପାଇଁ 72 ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ 15 ଦିନ କ୍ବାରେଣ୍ଟାଇନ ରହିବାକୁ ନିର୍ଦ୍ଦେଶ ରହିଛି ।
ଏହାସହ ରାଜ୍ୟରେ ରାତ୍ରି 10ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ରାଜଧାନୀ ଜୟପୁର ସହିତ ରାଜ୍ୟର 8ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା, ପ୍ରମୁଖ ଶାସନ ସଚିବ ଅଭୟ କୁମାର, ଚିକିତ୍ସା ଶିକ୍ଷା ସଚିବ ବୈଭବ ଗାଲରିୟା ଏବଂ ସ୍ବାସ୍ଥ୍ୟ ସଚିବ ସିଦ୍ଧାର୍ଥ ମହାଜନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସଚିବ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସମୟ ରହିତ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।