ହାଇଦ୍ରାବାଦ:ୟୁଏଇରେ ଆୟୋଜିତ ବିଶ୍ବ ଜଳବାୟୁ ସମ୍ମିଳନୀ (COP28) ରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ରିଆ ମେଲୋନୀଙ୍କ ସାକ୍ଷାତ ଓ ସେଲ୍ଫି ଏବେ ଚର୍ଚ୍ଚାରେ ରହିଛି । ମୋଦିଙ୍କ ସହ ବେଶ ଉତ୍ସୁକତାର ସହ ସେଲ୍ଫି ନେଇଥିଲେ ମେଲୋନୀ । ‘COP28 ଭଲବନ୍ଧୁ’ କ୍ୟାପସନ ସହ ମେଲୋନୀ ଏହି ସେଲ୍ଫିକୁ ଟ୍ବିଟ୍ ମଧ୍ୟ କରିଥିଲେ । ଏହା ସହ ସେ ହ୍ୟାସଟ୍ୟାଗ ‘ମେଲୋଦି’ ବୋଲି ମଧ୍ୟ ଲେଖିଥିଲେ । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମିନଥି ବାଳେ ବନ୍ଧୁ ମେଲୋନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ରିପ୍ଲାଏ ମଧ୍ୟ ଦେଇଛନ୍ତି । ମେଲୋନୀଙ୍କ ଟ୍ବିଟକୁ ରିଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି କ୍ୟାପସନରେ ଲେଖିଛନ୍ତି, ‘ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’ ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ମୋଦିଙ୍କ ସହ ସେଲ୍ଫି ନେଇଥିଲେ ମେଲୋନୀ । ଉଭୟ ସ୍ମିତହାସ ପୋଜରେ ସେଲ୍ଫି ନେଇଥିଲେ । ଏହା ପରେ ଏହାକୁ ମୋଲୋନି ଟ୍ବିଟ୍ କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ଯରେ ବେଶ ଉତ୍ସାହ ଦେଖାଯାଇଥିଲା । କେବଳ ସୋସିଆଲ ମିଡିଆ ନୁହେଁ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ମେଲୋନୀ ଦିଲ୍ଲୀ ଆସିଥିଲେ । ସେତେବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଦେଖିବାକୁ ମିଳିଥିଲା । ମୋଦିଙ୍କ ଜନ୍ମଦିନରେ ମେଲୋନୀଙ୍କ ଶୁଭେଚ୍ଛା ଟ୍ବିଟ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲା ।
ଦୁବାଇ ଦ୍ବାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ୟୁଏଇ ଉପପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ । ପ୍ରବାସୀ ଭାରତୀୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।