ହାଇଦ୍ରାବାଦ: ତୁର୍କୀର ରୁମେୟସା ଗେଲଗି ହେଉଛନ୍ତି ବିଶ୍ବର ସବୁଠୁ ଉଚ୍ଚତମ ମହିଳା । ନିଜ ଉଚ୍ଚତା ଲାଗି ସେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ମଧ୍ୟ ହାତେଇଛନ୍ତି । ତାଙ୍କ ଉଚ୍ଚତା ୭ ଫୁଟ ୭ ଇଞ୍ଚ ହୋଇଥିବା ବେଳେ ବୟସ ହେଉଛି ୨୬ବର୍ଷ । ଗିନିଜ ରେକର୍ଡ ସହିତ ସେ ଅନ୍ୟ ୫ଟି ବିଶ୍ବ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ସବୁରି ପରେ ସେ ଏକ ବିରଳ ରୋଗରେ ପୀଡ଼ିତ ଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି । ତଥାପି ହାର ମାନିନାହାନ୍ତି ସେ । ନିଜ ପାଠପଢା ଶେଷ କରି ଏକ ଭଲ ଚାକିରି ମଧ୍ୟ କରିଛନ୍ତି । ତାଙ୍କ ଜୀବନ କାହାଣୀ ଅନେକଙ୍କୁ ପ୍ରେରିତ କରିଛି ।
ରୁମେୟସା ତୁର୍କୀର ସଫରାନବୋଲୁ ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି । ସେ ୪ବର୍ଷ ବୟସରୁ ୱେଭର୍ସ ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଅଛନ୍ତି । ଏହା ଏକ ବଂଶଗତ ରୋଗ । ଏହି ରୋଗ ଯୋଗୁଁ ତାଙ୍କ ଶରୀରର ହାଡ଼ରେ ଆବଶ୍ୟକଠାରୁ ଅଧିକ ବିକାଶ ହେଉଛି । ଏଥିଲାଗି ତାଙ୍କ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଛି । ଯେତେବେଳେ ସେ ୬ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ଉଚ୍ଚତା ଥିଲା ୫ ଫୁଟ ୮ ଇଞ୍ଚ । ବିଶେଷଜ୍ଞଙ୍କ କହିବା ଅନୁସାରେ ବିଶ୍ବର ମୋଟ ଜନସଂଖ୍ୟା ମଧ୍ୟରୁ ଏପରି ରୋଗରେ ୫୦ଜଣ ପୀଡ଼ିତ ହୋଇଥାଆନ୍ତି ।
ଜୀବନ ସହ କରୁଛନ୍ତି ସଂଘର୍ଷ:-ଏହି ବିରଳ ରୋଗରେ ପୀଡ଼ିତ ରୁମେୟସା ନିଜ ଜୀବନ ପାଇଁ ଲଗାତାର ଭାବେ ସଂଘର୍ଷ କରିଆସୁଛନ୍ତି । ଏଥିଲାଗି ତାଙ୍କ ହୃତପିଣ୍ଡ ମଧ୍ୟ ସଠିକ ଭାବେ କାର୍ଯ୍ୟ କରୁନାହିଁ । ଏହାସହ ତାଙ୍କର ଉଚ୍ଚତା ଯୋଗୁଁ ଶରୀରର ମେରୁଦଣ୍ଡ ଗୋଟିଏ ପାର୍ଶ୍ବକୁ ବଙ୍କା ହୋଇଗଲାଣି । ସେ ଠିକ ଭାବେ ଚାଲି ମଧ୍ୟ ପାରନ୍ତିନି । ଚାଲିବା ପାଇଁ ରଡ୍ ଓ କିଛି ସ୍ବତନ୍ତ୍ର ଧରଣର ଶାଖା ବାଡ଼ି ବ୍ୟବହାର କରନ୍ତି । ଏଥିଲାଗି ସେ ସ୍କୁଲକୁ ଯାଇପାରିନଥିବା ବେଳେ ଘରେ ପାଠ ପଢିଥାନ୍ତି । ବିଶ୍ବ ରେକର୍ଡ ହାତେଇଥିବା ବେଳେ ସେ ସାଧାରଣ ଜୀବନ ଜିଇଁପାରନ୍ତି ନାହିଁ । ସାଙ୍ଗମାନଙ୍କ ସହ ଖେଳିପାରନ୍ତି ନାହିଁ ।