ଓଡିଶା

odisha

ETV Bharat / bharat

ସୁଖବିନ୍ଦର ସିଂ ସୁଖୁ: ବାପା ଥିଲେ ଡ୍ରାଇଭର, ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର - କ୍ଷୀର ବିକାଳିରୁ ମୁଖ୍ୟମନ୍ତ୍ରୀ

ବାପା ଡ୍ରାଇଭର ଥିଲେ । ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର । ହେଲେ କ୍ଷୀର ବିକାଳିରୁ ଆଜି ସେ ପାହାଡି ରାଜ୍ୟର ମୁଖ୍ୟମନ୍ତ୍ରୀ । ପଢନ୍ତୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖଙ୍କ ସମ୍ପର୍କରେ କିଛି ଅଜଣା କଥା ।

ସୁଖବିନ୍ଦର ସିଂ ସୁଖୁ: ବାପା ଥିଲେ ଡ୍ରାଇଭର, ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର
ସୁଖବିନ୍ଦର ସିଂ ସୁଖୁ: ବାପା ଥିଲେ ଡ୍ରାଇଭର, ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର

By

Published : Dec 11, 2022, 10:36 AM IST

ଶିମଲା: ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ । ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ସୁଖୁ ହିମାଚଳର ଶାସନ ଭାର ସମ୍ଭାଳିବେ । ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ପରେ ଏବେ ଏହି ବରିଷ୍ଠ ନେତାଙ୍କ ବ୍ୟକ୍ତିତ୍ବ ବେଶ୍ ଚର୍ଚ୍ଚାରେ ରହିଛି । କାରଣ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରୁଥିବା ଏହି ବ୍ୟକ୍ତିତ୍ବ ଦିନେ କ୍ଷୀର ବିକୁଥିଲେ । ହେଲେ ନିଜର ଦକ୍ଷତା ବଳରେ ଚାରି ଚାରିଥର ବିଧାୟକ ହେବା ପରେ ସେ ଏବେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଜାଣନ୍ତୁ କିପରି ଥିଲା କ୍ଷୀର ବିକାଳିରୁ ତାଙ୍କର ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା...

୧୯୬୪ ମସିହା ମାର୍ଚ୍ଚ ୨୬ ତାରିଖରେ ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲା ଅନ୍ତର୍ଗତ ସେରା ଗ୍ରାମରେ ସୁଖବିନ୍ଦର ସିଂ ସୁଖୁଙ୍କ (Sukhwinder Sukhu) ଜନ୍ମ । ସେ କୌଣସି ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇନଥିଲେ । ସୁଖୁଙ୍କ ବାପା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର(road transport corporation driver) ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମାଆ ଥିଲେ ଗୃହିଣୀ । ଚାରି ଭାଇଭଉଣୀଙ୍କ ମଧ୍ୟରେ ସୁଖୁ ଥିଲେ ଦ୍ବିତୀୟ । ତେଣୁ ତାଙ୍କର ବାଲ୍ୟ ସମୟ ଅଭାବ ଅନଟନରେ କଟିଥିଲା ।

ସୁଖୁ କମ୍ ବୟସରେ ଛୋଟା ଶିମଲା ଅଞ୍ଚଳରେ ଏକ କ୍ଷୀର କାଉଣ୍ଟର(milk counter) ଚଳାଉଥିଲେ । ଏହାପରେ ସେ ଶିମଲାରେ ଏଲଏଲବି ଅଧ୍ୟୟନ କରିଥିଲେ । କଲେଜରେ ସେ ଶ୍ରେଣୀ ପ୍ରତିନିଧି, ଷ୍ଟୁଡେଣ୍ଟ ଆସୋସିଏସନର ଅଧ୍ୟକ୍ଷ ଓ ସଭାପତି ହୋଇଥିଲେ । ସୁଖୁ କଂଗ୍ରେସର ଛାତ୍ର ସଂଗଠନ NSUI(National Students' Union of India)ରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୮ରୁ ୧୯୯୫ ଯାଏଁ ସେ NSUIର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୧୯୯୫ରେ ତାଙ୍କୁ ଯୁବ କଂଗ୍ରେସ ରାଜ୍ୟ ସଭାପତି ଦାୟିତ୍ବ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ହିମାଚଳରେ ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ, ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ

ହିମାଚଳ ରାଜନୀତିର ଏହି ବରିଷ୍ଠ ନେତା ଦୁଇଥର ଶିମଲା ମ୍ୟୁନିସିପାଲିଟି କର୍ପୋରେସନର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୩ରେ ସେ ପ୍ରଥମ ଥର ହମୀରପୁର ଜିଲ୍ଲା ନାଦାଉନ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ୨୦୦୭ରେ ତାଙ୍କୁ ଦ୍ବିତୀୟ ଥର ବିଧାନସଭା ଯିବାକୁ ସୁଯୋଗ ମିଳିଥିଲା । ୨୦୧୨ ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ । ୨୦୧୭ରେ ପୁଣିଥରେ ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ ସେ ବାଜିମାତ୍ କରିଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା ପାଇଁ କଂଗ୍ରେସ ହାଇକାମାଣ୍ଡ ଏବେ ତାଙ୍କୁ ବଡ ଦାୟିତ୍ବ ଦେଇଛନ୍ତି ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ ପୁଣି କଂଗ୍ରେସ କ୍ଷମତାକୁ ଫେରିଛି । ଗତକାଲି(ଶନିବାର) ଶିମଲାରେ ନବନିର୍ବାଚିତ ବିଧାୟକମନଙ୍କ ବୈଠକରେ କଂଗ୍ରେସର ପର୍ଯ୍ୟବେକ୍ଷକ ଭୂପେଶ ବାଘେଲ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଘୋଷଣା କରିଛନ୍ତି । ସେ ହିମାଚଳରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ।

ABOUT THE AUTHOR

...view details