ଓଡିଶା

odisha

By ETV Bharat Odisha Team

Published : Jan 3, 2024, 9:21 PM IST

ETV Bharat / bharat

ରଣଧୀର ଜୈଶଓ୍ବାଲ ନୂଆ ବିଦେଶ ବ୍ୟାପାର ମୁଖପାତ୍ର, ଅରିନ୍ଦମ ବାଗଚିଙ୍କୁ ବଡ ଦାୟିତ୍ବ

MEA spokesperson Arindam Bagchi passes on baton to Randhir Jaiswal: ଅରିନ୍ଦମ ବାଗଚିଙ୍କୁ ହେଲେ ଜାତିସଂଘ ସ୍ଥାୟୀ ପ୍ରତିନିଧି । ରଣଧୀର ଜୈଶଓ୍ବାଲ ନୂଆ ବିଦେଶ ବ୍ୟାପାର ମୁଖପାତ୍ର । ଅଧିକ ପଢନ୍ତୁ

ବଦଳିଲେ ଅରିନ୍ଦମ ବାଗଚି, ରଣଧୀର ଜୈଶଓ୍ବାଲ ନୂଆ ବିଦେଶ ବ୍ୟାପାର ମୁଖପାତ୍ର
ବଦଳିଲେ ଅରିନ୍ଦମ ବାଗଚି, ରଣଧୀର ଜୈଶଓ୍ବାଲ ନୂଆ ବିଦେଶ ବ୍ୟାପାର ମୁଖପାତ୍ର

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ସ୍ଥାନ ନେଲେ ରଣଧୀର ଜୈଶଓ୍ବାଲ । ସେ ଆଜି ବିଧିବଦ୍ଧ ଭାବେ ବାଗଚିଙ୍କଠାରୁ ବିଦେଶ ବ୍ୟାପାର ପ୍ରବକ୍ତା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅନ୍ୟପଟେ ଅରିନ୍ଦମ ବାଗଚିଙ୍କୁ ସରକାର ଅନ୍ତର୍ଜାତୀୟ ସ୍ତରରେ ଗୁରୁ ଦାୟିତ୍ବରେ ଅବସ୍ଥାପିତ କରିଛନ୍ତି । ସେ ଜେନେଭାରେ ଜାତିସଂଘ ଓ ଅନ୍ୟ ଅନ୍ତର୍ଜାତୀୟ ସଂଗଠନରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି । ବିଦେଶ ନୀତି ଓ ବର୍ତ୍ତମାନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ନେଇ ନିୟମିତ ସାପ୍ତାହିକ ପ୍ରେସମିଟ୍‌ କରୁଥିଲେ ବାଗଚି । ଡିସେମ୍ବର 29 ରେ ତାଙ୍କର ଶେଷ ପ୍ରେସମିଟ ଥିଲା । ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନବବର୍ଷର ଶୁଭେଛା ଜଣାଇବା ସହ ଏହା ତାଙ୍କର ଶେଷ ମିଡିଆ ବ୍ରିଫିଂ ବୋଲି ମଧ୍ୟ ସୂଚନା ଦେଇଥିଲେ । ଆଜି ସେ ବିଧିବଦ୍ଧ ଭାବେ ରଣଧୀର ଜୈଶଓ୍ବାଲଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଏହି ହସ୍ତନ୍ତରଣ ପ୍ରକ୍ରିୟା ନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି ।

1995 ବ୍ୟାଚର ବିଦେଶ ସେବା ଅଧିକାରୀ ବାଗଚି:-

1995 ବ୍ୟାଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ଅରିନ୍ଦମ ବାଗଚିଙ୍କର ଦୀର୍ଘ ବର୍ଷର କୂଟନୈତିକ ଅଭିଜ୍ଞତା ରହିଛି । ସେ ବିଦେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସହ ମୁଖପାତ୍ର ମଧ୍ୟ ଥିଲେ । 2021 ରେ ବିଦେଶ ବ୍ୟାପାର ମୁଖପାତ୍ର ଭାବେ ଦାୟିତ୍ବ ଗ୍ରହଣ କରିବା ପରେ କୋଭିଡ ମହାମାରୀ, ପୂର୍ବ-ଲଦାଖ କ୍ଷେତ୍ରରେ ଭାରତ-ଚୀନ ବିବାଦ, ଋଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଓ ଭାରତର ଜି-20 ସମ୍ମିଳନୀର ଅଧ୍ୟକ୍ଷତା ପରି ପ୍ରମୁଖ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସମୟରେ ବିଦେଶ ମନ୍ତ୍ରଣାଳୟର ପକ୍ଷ ରଖୁଥିଲେ । ଜଣେ ଅନୁଭବୀ କୂଟନୈତିଜ୍ଞ ସହ ତାଙ୍କର ଉଚ୍ଚକୋଟିର ଯୋଗାଯୋଗ ଦକ୍ଷତା ମଧ୍ୟ ରହିଛି । ସେ ଏବେ ଜାତିସଂଘରେ ଭାରତକୁ ପ୍ରତିନିଧିତ୍ବ କରିବେ । ଅକ୍ଟୋବରରେ ତାଙ୍କୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ମିଳିଥିଲା । ସେ ଖୁବଶିଘ୍ର ଏହି ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରେସଲିଂ ବିବାଦର ନୂଆ ମୋଡ଼: ସିନିୟରଙ୍କ ବିରୋଧରେ ମୁହଁ ଖୋଲିଲେ ଜୁନିୟର, ଜନ୍ତର ମନ୍ତରରେ ଧାରଣା

1998 ବ୍ୟାଚର ଆଏଫଏସ ରଣଧୀର ଜୈଶଓ୍ବାଲ:-

ସେହିପରି ବର୍ତ୍ତମାନର ବିଦେଶ ବ୍ୟାପାର ପ୍ରବକ୍ତା ଭାବେ ଦାୟିତ୍ବ ଗ୍ରହଣ କରିଥିବା ରଣଧୀର ଜୈଶଓ୍ବାଲ ମଧ୍ୟ 1998 ବ୍ୟାଚରଜଣେ ବରିଷ୍ଠ ବିଦେଶ ସେବା ଅଧିକାରୀ । ସେ ଏହା ପୂର୍ବରୁ ନ୍ୟୁ-ୟର୍କରେ ଭାରତର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ଥିଲେ । 2020 ରେ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କରେ ସେ ପ୍ରଭାବୀ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କର ମଧ୍ୟ ବିଦେଶ ସେବା ଓ କୂଟନୈତିକ କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି । ସେ ଆମେରିକାରେ ଭାରତକୁ ପ୍ରତିନିଧିତ୍ବ କରିବା ପୂର୍ବରୁ ପର୍ତ୍ତୁଗାଲ, କ୍ୟୁବା, ଦକ୍ଷିଣ ଆଫ୍ରିକା ଓ ଜାତିସଂଘରେ ମଧ୍ୟ ଭାରତକୁ ପ୍ରତିନିଧିତ୍ବ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details