ଲକ୍ଷ୍ନୌ:ବହୁଜନ ସମାଜବାଦୀ ପାର୍ଟି (ବସପା) ସାଂସଦ ଡାନିଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବସପା ମୁଖ୍ୟ ମାୟାବତୀ ଦଳରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ନିକଟରେ ଏକାଧିକ ମାମଲାରେ ଚର୍ଚ୍ଚାରେ ଥିବା ସାଂସଦ ଅଲ୍ଲୀ ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସାଂସଦ ରହିଛନ୍ତି । ନିକଟରେ ତାଙ୍କୁ ବିଜେପି ସାଂସଦ ରମେଶ ବିଧୁରୀ ଗୃହରେ ଆଲୋଚନା ବେଳେ ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ସମ୍ପର୍କରେ ବିଜେପି ସାଂସଦ ବିଧୁରୀ ‘ଆତଙ୍କବାଦୀ’ ଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ବହୁଚର୍ଚ୍ଚିତ କ୍ୟାସ ଫାର କ୍ବାରୀ ମାମଲାରେ ମଧ୍ୟ ସାଂସଦ ଅଲ୍ଲୀ ପ୍ରଥମରୁ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ସମର୍ଥନରେ ରହି ଆସିଛନ୍ତି ।
ସେ ସଂସଦ ଏଥିକ୍ସ କମିଟି ସଦସ୍ୟ ଥିବା ବେଳେ ମହୁଆ ମୋଇତ୍ରାଙ୍କ ବିରୋଧରେ ପ୍ୟାନେଲ ମିଟିଂ ବସିଥିବା ବେଳେ ସେ ବୈଠକ ତ୍ୟାଗ କରିଥିଲେ । ମୋଇତ୍ରାଙ୍କୁ ପ୍ୟାନେଲର ଅଧ୍ୟକ୍ଷ ବିନୋଦ ସୋନକାର ଓ ଅନ୍ୟ କିଛି ସଦସ୍ୟ ଅତି ବ୍ୟକ୍ତିଗତସ୍ତରର ପ୍ରଶ୍ନ କରିଥିଲେ ବୋଲି ଅଲ୍ଲୀ ଅଭିଯୋଗ କରିଥିଲେ । ତେବେ ଆଜି ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରାଙ୍କ ପକ୍ଷରୁ ସୂଚନା ମିଳିଛି । ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ନେଇ ଡାନିଶଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସନି ।