ଲକ୍ଷ୍ନୌ :ଆସନ୍ତା ବିଧାନସଭା ଓ 2024 ସାଧାରଣ ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ 2024 ସାଧାରଣ ନିର୍ବାଚନରେ ଦଳ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ । ଆଜି ଏନେଇ ଦଳ ସୁପ୍ରିମୋ ମାୟାବତୀ ସ୍ପଷ୍ଟ ଘୋଷଣା କରିଛନ୍ତି ।
ଆଜି ମାୟାବତୀ ନିଜର 67ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଶୁଭେଚ୍ଛୁ ଓ ସମର୍ଥକଙ୍କୁ ସେ ଧନ୍ୟବାଦ ଦେବା ପାଇଁ ଏକ ପ୍ରେସମିଟ୍ର ଆୟୋଜନ ମଧ୍ୟ କରିଥିଲେ । ଏଥିରେ ତାଙ୍କ ଦଳର ଆଗାମୀ ରାଜନୈତିକ ରଣନୀତି ସମ୍ପର୍କରେ ସେ ଏପରି ସୂଚନା ରଖିଛନ୍ତି । ଗୋଟିଏ ପଟେ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଧିକ ବିଜେପି ବିରୋଧୀ ଦଳ ତୃତୀୟ ମେଣ୍ଟ ଗଠନ ପ୍ରୟାସର ମେଳି ବାନ୍ଧିବାରେ ଲାଗିଥିବା ବେଳେ ମାୟାବତୀଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ମୋଦି ବିରୋଧୀ ମହାମଞ୍ଚରେ ମାୟାବତୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ସମ୍ପୂର୍ଣ୍ଣ ଭିନ୍ନ ଇଙ୍ଗୀତ ଦେଇଛନ୍ତି ମାୟାବତୀ । ରାଜ୍ୟ ବିଧାନସଭା ଓ 2024 ସାଧାରଣ ନିର୍ବାଚନରେ କୌଣସି ଦଳ ନୁହେଁ ବରଂ ତାଙ୍କ ଦଳ ବହୁଜନ ସମାଜବାଦୀ ପାର୍ଟି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସେ ସୂଚନା ଦେଇଛନ୍ତି ।