ଲକ୍ଷ୍ମୌ:2 ଦିନିଆ ଉତ୍ତରପ୍ରଦେଶ ବାରାଣାସୀ ଗସ୍ତରେମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାଥ । ଜି 20 ସମ୍ମିଳନୀରେ ସାମିଲ ହେବା ପରେ ଆଜି(ସୋମବାର) ବାରାଣାସୀ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ବାରାଣାସୀରେ ପହଞ୍ଚିଛନ୍ତି ପ୍ରବୀନ୍ଦ କୁମାର । ସେଠାରେ ପ୍ରସିଦ୍ଧ ବାବା କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ପରେ ନିଜ ପରିବାର ସହ ଗଙ୍ଗା ଆଳତୀରେ ସାମିଲ ହେବେ । ଆଜିକୁ ମିଶାଇ ତୃତୀୟ ଥର ପାଇଁ ବାରାଣାସୀ ଗସ୍ତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।
ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାରଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ଦିନ 10ଟା ସମୟରେ ସ୍ୱତନ୍ତ୍ର ବିମାନ ଯୋଗେ ବାରାଣାସୀରେ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି । ବିମାନବନ୍ଦରରୁ ସେ ବାରାଣାସୀର ଏକ ପଞ୍ଚ ତାରକା ହୋଟେଲରେ ରହିଛନ୍ତି । କଡା ସୁରକ୍ଷା ମଧ୍ୟରେ ସେଠାରେ ତାଙ୍କର ରହଣୀବ୍ୟବସ୍ଥା କରାଯାଇଛି । ହୋଟେଲରେ ବିଶ୍ରାମ କରିବା ସହ କିଛି ଲୋକଙ୍କୁ ଭେଟିବେ ଆଲୋଚନା କରିବେ । ପରେ ଅପରାହ୍ନରେ କାଶୀ ବିଶ୍ୱନାଥ ମନ୍ଦିର ଯିବେ ମରିସସ ପ୍ରଧାନମନ୍ତ୍ରୀ । ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟା ସମୟରେ ଦଶାଶ୍ୱମେଧ ଘାଟ ଯିବେ । ସେଠାରେ ନିଜ ପରିବାରଙ୍କ ସହ ଗଙ୍ଗା ଆଳତୀରେ ସାମିଲ ହେବେ ।
ମରିସସ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସନ୍ଧ୍ୟା 5ଟା ପରେ ପୁରା ଅଞ୍ଚଳକୁ ସିଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଦଶାଶ୍ୱମେଧ ଘାଟରେ ପୋଲିସ ଫୋର୍ସ ଛାଉଣୀ ରହିଛନ୍ତି ।