ଓଡିଶା

odisha

ଆଗ୍ରାରେ ପଠାନକୋଟ ଏକ୍ସପ୍ରେସରେ ନିଆଁ, ଜଳିଗଲା ଏକାଧିକ ବଗି

By ETV Bharat Odisha Team

Published : Oct 25, 2023, 7:32 PM IST

ଆଗ୍ରା-ଝାନ୍ସି ରୁଟରେ ପଠାନକୋଟ ଏକ୍ସପ୍ରେସରେ ଲାଗିଲା ନିଆଁ । ଜଳିଗଲା ଏକାଧିକ ବଗି । କେହି ମୃତାହତ ହୋଇନଥିବା ସୂଚନା । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଆଗ୍ରାରେ ପଠାନକୋଟ ଏକ୍ସପ୍ରେସରେ ନିଆଁ, ଜଳିଗଲା ଏକାଧିକ ବଗି
ଆଗ୍ରାରେ ପଠାନକୋଟ ଏକ୍ସପ୍ରେସରେ ନିଆଁ, ଜଳିଗଲା ଏକାଧିକ ବଗି

ଲକ୍ଷ୍ନୌ:ପୁଣି ଏକ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ଆଜି (ବୁଧବାର) ଅପରାହ୍ନରେ ଆଗ୍ରା-ଝାନ୍ସି ରୁଟରେ ପଠାନକୋଟ ଏକ୍ସପ୍ରେସର 2ଟି ବଗିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଆଗ୍ରା କ୍ୟାଣ୍ଟନମେଣ୍ଟ ଜୋନର ଭଣ୍ଡାଇ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିବା ସହ ବଗିଗୁଡିକ ଜଳିଯାଇଛି । ତୁରନ୍ତ ରେଳବାଇ ଅଧିକାରୀ ଓ ଫାଏର ସର୍ଭିସ ଟିମ୍‌ ପହଞ୍ଚି ନିଆଁକୁ ଆୟତ କରିଥିଲା । କିଛି ଘଣ୍ଟା ମଧ୍ଯରେ ନିଆଁ ଆୟତ ମଧ୍ୟ ହୋଇସାରିଛି । କେହି ଯାତ୍ରୀ ମୃତାହତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇନାହିଁ । ସେହିପରି ନିଆଁ ଲାଗିବାର କାରଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ରେଳବାଇ ସୁରକ୍ଷା ଓ ବୈଷୟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ନିର୍ଦ୍ଦେଶ ମିଳିଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବା ନେଇ ରେଳବାଇ କହିଛି ।

ଭାରତୀୟ ରେଳବାଇ ସୂଚନା ଅନୁସାରେ, ପଠାନକୋଟ ଏକ୍ସପ୍ରେସ (14624) ପଞ୍ଜାବ ଫିରୋଜପୁରରୁ ମଧ୍ୟ ପ୍ରଦେଶର ସିଓନି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଆଜି ଅପରାହ୍ନରେ ଟ୍ରେନଟି ଆଗ୍ରା ଜୋନର ଆଗ୍ରା ଧୋଲପୁର ନିକଟରେ ଯାତ୍ରା କରୁଥିବା ବେଳେ ଏକାଧିକ ବଗିରେ ଧୂଆଁ ଦେଖିବାକୁ ମିଳିଥିଲା । ଏହା ପରେ ଲୋକୋପାଇଲଟ ଟ୍ରେନକୁ ରୋକିଥିଲେ । ଟ୍ରେନର ଦୁଇ ବଗିରେ ନିଆଁ ଲାଗିଥିଲା । ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ । ତୁରନ୍ତ ନିଆଁଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କିଛି ଘଣ୍ଟା ମଧ୍ୟରେ ନିଆଁ ଆୟତଙ୍କୁ ଆସିଛି ।

ଏହା ମଧ୍ୟ ପଢନ୍ତୁ:- Chhattisgarh polls: ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ଅମ୍ବିକାପୁରରୁ ରାଜେଶ ଅଗ୍ରଓ୍ବାଲ

କ୍ଷତିଗ୍ରସ୍ତ ହୋଇଥିବା ବଗିଗୁଡିକୁ ଟ୍ରେନରୁ ପୃଥକ କରାଯାଇଛି । କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । ତେବେ କେଉଁ କାରଣରୁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନି । ହୁଏତ ସଟସର୍କିଟ କାରଣରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ନିଆଁ ଲାଗିବାର ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ରେଳବାଇ କହିଛି । ଅନ୍ୟପଟେ ଦୁର୍ଘଟଣା ପରେ ଉକ୍ତ ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ସେହି ରୁଟରେ ଯାତାୟତ କରିବାକୁ ଥିବା କିଛି ଟ୍ରେନର ସମୟ ମଧ୍ୟ ବିଳମ୍ବ ହୋଇଛି । କିଛି ଘଣ୍ଟା ମଧ୍ୟରେ ଏହି ରୁଟରେ ରେଳସେବା ପୁଣି ସ୍ବାଭାବିକ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details