ଲକ୍ଷ୍ନୌ:ଦୀପାବଳି ପାଇଁ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ବଡ ଧରଣର ଅଘଟଣ ଘଟିଯାଇଛି । ମଥୁରା ଅଞ୍ଚଳରେ ଏକ ବାଣ ବଜାରରେ ନିଆଁ ଲାଗି 12ରୁ ଊର୍ଦ୍ଧ୍ବ ଜଣ ଗୁରୁତର ହୋଇଥିବା ବେଳେ ପାଖାପାଖି 20ଟି ଦୋକାନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କୋଟି କୋଟି ଟଙ୍କାର ବାଣ ଓ ଅନ୍ୟାନ୍ୟ ଜିନିଷ ଜଳି ନଷ୍ଟ ହୋଇଯାଇଛି ।
ଏହାମଧ୍ୟ ପଢନ୍ତୁ..ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍
ସୂଚନାଅନୁଯାୟୀ, ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ରାୟା ଥାନା ଅଞ୍ଚଳରେ ରାଜା କସ୍ବାର ମାଣ୍ଟ ରୋଡ ସ୍ଥିତ ଗୋପାଳ ବାଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ 24ଟି ଅସ୍ଥାୟୀ ବାଣଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଦୀପାବଳି ଦିନ ଅପରାହ୍ମ ସମୟରେ ଏହି ଦୋକାନରୁ ଗ୍ରାହକମାନେ ବାଣ କିଣୁଥିବା ସମୟରେ ବାଣ ବଜାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ 12ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ବେଳେ ପାଖାପାଖି 20ଟି ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳି ନଷ୍ଟ ହୋଇଯାଇଛି । ଅନ୍ୟପଟେ ଦୋକାନ ନିକଟରେ ଥିବା ପାଖାପାଖି 12ଟି ଗାଡିରେ ମଧ୍ୟ ନିଆଁ ଲାଗିଯାଇଥିଲା । ତେବେ ନିଆଁର ଭୟାବହତା ଏତେ ଥିଲା ଯେ ନିଆଁ କବଳରୁ ବର୍ତ୍ତିବା ପାଇଁ ଲୋକମାନେ ଘଟଣାସ୍ଥଳରୁ ଦୂରକୁ ଯିବା ପାଇଁ ସମୟ ମିଳିନଥିଲା । କିଛି ସମୟ ମଧ୍ୟରେ ପୁରା ଅଞ୍ଚଳରେ ନିଆଁ ଲାଗିଯାଇଥିଲା । ବାଣ ଗୁଡିକରେ ନିଆଁ ଲାଗିଯିବାରୁ ପ୍ରବଳ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ପାଖାପାଖି 200 ମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା ।