ଓଡିଶା

odisha

ETV Bharat / bharat

ମହାମାରୀରେ ବିଶାଳ ନିର୍ବାଚନୀ ସମାବେଶ: ନିଜ ବିଫଳତାକୁ ଅସ୍ବୀକାର କରିପାରିବେନି ନିର୍ବାଚନ କମିଶନ - EC cannot deny its failure

ପଶ୍ଚିମ ବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ସହିତ ପାଞ୍ଚଟି ରାଜ୍ୟର ବିଧାନସଭା ନିମନ୍ତେ ମାସେ ହେଲା ଚାଲିଥିବା ସୁଦୀର୍ଘ ନିର୍ବାଚନୀ ପ୍ରକ୍ରିୟାର ପରିସମାପ୍ତି ଘଟିଛି । ଏପ୍ରିଲ 6 ତାରିଖ ଦିନ ହିଁ ତାମିଲନାଡୁ, ପଣ୍ଡିଚେରୀ, କେରଳ ଏବଂ ଆସାମରେ ଭୋଟଗ୍ରହଣ ଶେଷ ହୋଇସାରିଥିବା ବେଳେ ପଶ୍ଚିମ ବଙ୍ଗରେ ଆଠଟି ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ଲାଗି ସେଠାକାର ଲୋକମାନଙ୍କୁ ଉଦ୍‌ବିଗ୍ନତାର ସହ ଅପେକ୍ଷା କରିବାକୁ ପଡ଼ିଥିଲା । ନିର୍ବାଚନରେ କିଏ ଜିତିବ ବା ହାରିବ ସେକଥାକୁ ବାଦ୍‌ ଦେଇ ଦେଖିଲେ, ନିର୍ବାଚନ ହୋଇଥିବା ପାଞ୍ଚଟି ରାଜ୍ୟରେ କୋଭିଡ ସଂପର୍କିତ ପୂର୍ବ ସତର୍କତା ଲାଗୁ କରିବାରେ ନିର୍ବାଚନ କମିଶନ ଯେ ନିଶ୍ଚିତ ଭାବରେ ବିଫଳ ହୋଇଛନ୍ତି ତାହା ସ୍ପଷ୍ଟ ପରିଲକ୍ଷିତ ହୁଏ ।

ବିଶ୍ବ ମହାମାରୀ ସମୟରେ ବିଶାଳ ନିର୍ବାଚନୀ ସମାବେଶ
ବିଶ୍ବ ମହାମାରୀ ସମୟରେ ବିଶାଳ ନିର୍ବାଚନୀ ସମାବେଶ

By

Published : May 1, 2021, 10:02 PM IST

ପଶ୍ଚିମ ବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ସହିତ ପାଞ୍ଚଟି ରାଜ୍ୟର ବିଧାନସଭା ନିମନ୍ତେ ମାସେ ହେଲା ଚାଲିଥିବା ସୁଦୀର୍ଘ ନିର୍ବାଚନୀ ପ୍ରକ୍ରିୟାର ପରିସମାପ୍ତି ଘଟିଛି । ଏପ୍ରିଲ 6ତାରିଖ ଦିନ ହିଁ ତାମିଲନାଡୁ,ପଣ୍ଡିଚେରୀ,କେରଳ ଏବଂ ଆସାମରେ ଭୋଟଗ୍ରହଣ ଶେଷ ହୋଇସାରିଥିବା ବେଳେ ପଶ୍ଚିମ ବଙ୍ଗରେ ଆଠଟି ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ଲାଗି ସେଠାକାର ଲୋକମାନଙ୍କୁ ଉଦ୍‌ବିଗ୍ନତାର ସହ ଅପେକ୍ଷା କରିବାକୁ ପଡ଼ିଥିଲା । ଏଥିରୁ ହିଁ ପଶ୍ଚିମ ବଙ୍ଗରେ ଏତେଗୁଡ଼ିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରିବା ଲାଗି ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପଛରେ ରହିଥିବା ଯୌକ୍ତିକତା ସଂପର୍କରେ ପ୍ରଶ୍ନ ଉଠେ । କୋଭିଡ୍‌ ଭୟରେ ବହୁସଂଖ୍ୟକ ଭୋଟଦାତା ଭୋଟଦାନରୁ ଦୂରେଇ ରହିଥିବାରୁ ନିର୍ବାଚନ ଫଳାଫଳ ଉପରେ ଏହାର ପ୍ରଭାବକୁ ନେଇ ଅନେକ ପ୍ରାର୍ଥୀ ଚିନ୍ତିତ ହୋଇପଡ଼ିଛନ୍ତି । ନିର୍ବାଚନରେ କିଏ ଜିତିବ ବା ହାରିବ ସେକଥାକୁ ବାଦ୍‌ ଦେଇ ଦେଖିଲେ,ନିର୍ବାଚନ ହୋଇଥିବା ପାଞ୍ଚଟି ରାଜ୍ୟରେ କୋଭିଡ ସଂପର୍କିତ ପୂର୍ବ ସତର୍କତା ଲାଗୁ କରିବାରେ ନିର୍ବାଚନ କମିଶନ ଯେ ନିଶ୍ଚିତ ଭାବରେ ବିଫଳ ହୋଇଛନ୍ତି ତାହା ସ୍ପଷ୍ଟ ପରିଲକ୍ଷିତ ହୁଏ ।

ସାରା ଦେଶରେ ବିଶ୍ବ ମହାମାରୀର ପ୍ରାଦୁର୍ଭାବ ଲାଗି ରହିଥିବା ସମୟରେ ଏହି ସବୁ ରାଜ୍ୟରେ ନିର୍ବାଚନ ଆୟୋଜନ କରିବା ନିର୍ବାଚନ କମିଶନଙ୍କ ପକ୍ଷରେ କାଠିକର ପାଠ ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ନିର୍ବାଚନ ପରିଚାଳନା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଗତ ଅକ୍‌ଟୋବର ମାସରେ ନିର୍ବାଚନ କମିଶନ ସ୍ପଷ୍ଟ ଭାବେ କହିଥିଲେ । ସେତେବେଳେ କମିଶନ ମଧ୍ୟ ସତର୍କ କରାଇ ଦେଇଥିଲେ ଯେ,ନିର୍ବାଚନ ପରିଚାଳନା ସଂପର୍କରେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି କେହି ଯଦି ଲୋକଙ୍କୁ ଏକତ୍ର କରନ୍ତି କିମ୍ବା ସମାବେଶ ଆୟୋଜନ କରନ୍ତି,ତେବେ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନର 51ରୁ 60ଧାରା ଏବଂ ଭାରତୀୟ ଦଣ୍ଡବିଧି ଆଇନର 188ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିହାର ନିର୍ବାଚନ ସମୟରେ ନିର୍ବାଚନ କମିଶନ ଏହି ନିର୍ଦ୍ଦେଶାବଳୀ ଲାଗୁ କରାଇଥିଲେ । ହେଲେ,ନିକଟରେ ସମାପିତ ପାଞ୍ଚଟି ରାଜ୍ୟର ନିର୍ବାଚନ କ୍ଷେତ୍ରରେ ଏହି ନିର୍ଦ୍ଦେଶାବଳୀ ଲାଗୁ କରାଇବା ଦିଗରେ ନିର୍ବାଚନ କମିଶନ ଅନୁରୂପ ଆଗ୍ରହ ଦେଖାଇ ନଥିଲେ ।

କୋଭିଡ୍‌ ସଂପର୍କିତ ପୂର୍ବ ସତର୍କତା ଅବଲମ୍ବନ ପ୍ରସଙ୍ଗକୁ ନିର୍ବାଚନ କମିଶନ ଖାତିର କରିନାହାନ୍ତି ବୋଲି କେତେକ ହାଇକୋର୍ଟ ମତ ଦେଇଛନ୍ତି । ବଡ଼ ବଡ଼ ରାଜନୈତିକ ଦଳର ତୁଙ୍ଗ ନେତାମାନେ କୋଭିଡ ନିୟମକୁ ଜଳାଞ୍ଜଳି ଦେଇ ବିଶାଳ ଜନ ସମାବେଶ ଆୟୋଜନ କରୁଥିବା ବେଳେ ନିର୍ବାଚନ କମିଶନ ନିରବ ରହିଥିଲେ । ଏ ସଂପର୍କରେ ବିଭିନ୍ନ ହାଇକୋର୍ଟଙ୍କ ଭର୍ତ୍ସନାପୂର୍ଣ୍ଣ ମନ୍ତବ୍ୟ ସକାଶେ ଖୋଦ୍‌ ନିର୍ବାଚନ କମିଶନ ହିଁ ଦାୟୀ ।

ନିର୍ବାଚନ ଆୟୋଜିତ ହୋଇଥିବା ବିଭିନ୍ନ ରାଜ୍ୟରେ କୋଭିଡ କଟକଣା ପ୍ରତି ବେଖାତିର ମନୋଭାବ ପ୍ରଦର୍ଶନ କରିଥିବାରୁ ନିର୍ବାଚନ କମିଶନ ନରହତ୍ୟା ଅଭିଯୋଗର ସମ୍ମୁଖୀନ ହେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା କଟୁ ମନ୍ତବ୍ୟର ଝଟକା ଯୋଗୁଁ ମେ 2ତାରିଖ ଦିନ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟଗଣନା ଶେଷ ହେବା ପରେ କୌଣସି ପ୍ରକାର ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ ବୋଲି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ତେବେ,ଏହି ପଦକ୍ଷେପ କମିଶନଙ୍କ ବିଫଳତାକୁ ଘୋଡ଼ାଇ ପାରିବ ନାହିଁ ।

ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ 3ଲକ୍ଷ 80ହଜାରରେ ପହଞ୍ଚିଥିବା ଯୋଗୁଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ହିଁ ଏହି ବିପର୍ଯ୍ୟୟର ଗମ୍ଭୀରତାକୁ ସୂଚାଉଛି । ନିର୍ବାଚନ ପ୍ରଚାର ସମୟରେ ବିଶ୍ବ ମହାମାରୀ ସଂପର୍କିତ କଟକଣାକୁ ସଂପୂର୍ଣ୍ଣ ଏଡ଼ାଇ ଯିବା କାରଣରୁ ହିଁ ଏଭଳି ତୀବ୍ର ହାରରେ ଭୂତାଣୁ ସଂକ୍ରମଣ ସଂଘଟିତ ହେଲା ବୋଲି କୁହାଯାଇପାରେ । ମାର୍ଚ୍ଚ 15ତାରିଖ ପରେ,ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକ ସମେତ ସବୁ ରାଜ୍ୟରେ ଅନିୟନ୍ତ୍ରିତ ଭାବରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଲା । ମାର୍ଚ୍ଚ 27ତାରିଖ ଦିନ ପଶ୍ଚିମ ବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହୋଇଥିଲା ଏବଂ ସେହି ସମୟ ତୁଳନାରେ ଏବେ ସେଠାରେ କୋଭିଡ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 40ଗୁଣ ଅଧିକ ।

ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡ଼େ ଯେ,ତାମିଲନାଡୁ,ପଣ୍ଡିଚେରୀ,କେରଳ ଓ ଆସାମରେ ନିର୍ବାଚନ ପ୍ରଚାର ଆଗେଇବା ସହିତ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଲା । ଜାତୀୟ ସ୍ବାସ୍ଥ୍ୟ ଅଭିଯାନରୁ ହାସଲ ତଥ୍ୟାବଳୀର ବିଶ୍ଲେଷଣରୁ ଜଣାଯାଏ ଯେ,ଆସାମରେ ନିର୍ବାଚନ ପ୍ରଚାର ସମୟରେ ପୂର୍ବ ସତର୍କତା ଅବଲମ୍ବନରେ ବିଫଳତା କାରଣରୁ ହିଁ ସେଠାରେ 75ପ୍ରତିଶତ କୋଭିଡ ସଂକ୍ରମଣ ସଂଘଟିତ ହୋଇଛି । ନିର୍ବାଚନ ସମାବେଶ ଲାଗି ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ର କରାଇଥିବା ସମସ୍ତ ରାଜନୈତିକ ଦଳ ଏଥିପାଇଁ ଦାୟୀ ବୋଲି ସ୍ବୀକାର କରିବାକୁ ପଡ଼ିବ ।

ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ରାଜନୈତିକ ଦଳ ସବୁ ଶକ୍ତି ଖଟାଇ ନିର୍ବାଚନୀ ମଇଦାନକୁ ଲମ୍ଫ ପ୍ରଦାନ କରିବା ସ୍ବାଭାବିକ ଘଟଣା । ତେଣୁ,କୋରୋନା କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଇବାରେ ବିଫଳତା ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ ହିଁ ସଂପୂର୍ଣ୍ଣ ଦାୟୀ । ନିଜ ନିଜର ଶକ୍ତି ପ୍ରଦର୍ଶନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜନ ସହିତ ଆଧ୍ୟାତ୍ମିକତାର ଦ୍ବାହି ଦେଇ ଆୟୋଜିତ କୁମ୍ଭମେଳାରେ ବିପୁଳ ସଂଖ୍ୟକ ଲୋକ ଏକତ୍ରିତ ହେବା ଯୋଗୁଁ ହିଁ କୋଭିଡ ବିଶ୍ବ ମହାମାରୀର ପ୍ରକୋପ ବଢ଼ିବାରେ ଲାଗିଲା । ନିର୍ବାଚନ ସମାପିତ ହେବା ପରେ ଯାଇ ସାରା ଦେଶ ଶାନ୍ତିରେ ନିଶ୍ବାସ ମାରିଲା । ବହୁସଂଖ୍ୟକ ଲୋକଙ୍କୁ ଏକତ୍ର କରାଇବା ଲାଗି ଉଦ୍ଦିଷ୍ଟ ନିର୍ବାଚନୀ ପ୍ରଚାରର ପ୍ରଚଳିତ ଢାଞ୍ଚା ଉପରେ ଏବେ ଅନ୍ତତଃ କଟକଣା ଲାଗୁ କରିବା ସକାଶେ ନିର୍ବାଚନ କମିଶନ ଗୁରୁତ୍ବାରୋପ କରିବା ଉଚିତ । ଏବେ ହିଁ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ବ ଦେବାର ପ୍ରକୃଷ୍ଟ ସମୟ ।

For All Latest Updates

ABOUT THE AUTHOR

...view details