ରାୟପୁର:ଛତିଶଗଡ଼ ଦନ୍ତେୱାଡା ମାଓବାଦୀ ଆକ୍ରମଣରେ ମୋଟ ୧୦ଜଣ ଯବାନ ଶହୀଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥିଲେ ଗୋପନୀୟ ସୈନିକ ଜୟରାମ ପୋଡିୟାମ । ଯିଏକି ଦିନେ ପ୍ରେମିକା ପାଇଁ ଫିଙ୍ଗିଥିଲେ ହତିଆର । ଆଉ ଦେଶସେବାରେ ମନୋନିବେଶ କରି ନକ୍ସଲରୁ ପାଲଟିଥିଲେ ଯବାନ । ଦନ୍ତେୱାଡା ମାଓବାଦୀ ଆକ୍ରମଣରେ ସେ ଶହୀଦ ହୋଇଛନ୍ତି । ଜୟରାମଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ମେଟାପାଲରେ ପହଞ୍ଚାଯାଇଛି । ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି ।
ଶହୀୟ ଜୟରାମଙ୍କ ପରିବାର:-ଶହୀଦ ଯବାନ ଜୟରାମ ପୋଡିୟାମଙ୍କ ପିତାଙ୍କ ନାମ ହିଡମା ପୋଡିୟାମ ଓ ତାଙ୍କ ପତ୍ନୀଙ୍କ ନାମ ଫାଲି ବାଈ । ଜୟରାମଙ୍କ ଦୁଇଟି ଝିଅ ମଧ୍ୟ ରହିଛନ୍ତି । ଜୟରାମ ୧୯୯୫ ମସିହା ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ସେମାନେ ୩ ଭାଇ ଥିଲେ । ଏହି ୩ ଭାଇଙ୍କ ମଧ୍ୟରୁ ଜୟରାମ ଦେଶସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ଆଉ ତାଙ୍କ ୨ ଭାଇ ଚାଷ କାର୍ଯ୍ୟ କରିଥାନ୍ତି ।
କେବେ କରିଥିଲେ ଆତ୍ମସମର୍ପଣ:-୨୦୨୦ ମସିହା ମାର୍ଚ୍ଚ ୧ ତାରିଖରେ ଜୟରାମ ନକ୍ସଲଙ୍କ ହାତ ଛାଡ଼ି ଡିଆରଜି ଯବାନ ହୋଇଥିଲେ । ସେ ୨୦୨୦ ମସିହାରେ ସମାଜର ମୁଖ୍ୟସ୍ରୋତରେ ଯୋଡ଼ି ହେବା ଲାଗି ଆତ୍ମସମର୍ପଣ କରିଥିଲେ । ଏହାର ଗୋଟିଏ କାରଣ ଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ଫାଲି । ସେ ଜୟରାମଙ୍କୁ ପ୍ରେମ କରୁଥିଲେ ଓ ଏହି ଅପରାଧିକ କାର୍ଯ୍ୟ ତ୍ୟାଗ କରିବା ଲାଗି ସବୁବେଳେ କହୁଥିଲେ । ତେବେ ଜୟରାମ ନକ୍ସଲ ସଂଗଠନରେ ଡାକ୍ତରଙ୍କ କାର୍ଯ୍ୟ କରୁଥିଲେ । ଗର୍ଲଫ୍ରେଣ୍ଡଙ୍କ କଥା ମାନି ସେ ଆତ୍ମସମର୍ପଣ କରିଥିଲେ ଓ ଗୋପନୀୟ ସୈନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।